୨୦ ନା ୨୧: କେଉଁଦିନ ଲୋକେ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ ?

୨୦ ନା ୨୧ । କେଉଁଦିନ ଲୋକେ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମତକୁ ନେଇ ସୁବିଠି ଦ୍ବନ୍ଦ୍ବ । ଯାହାକୁ ନେଇ ଦେଖାଦେଇଛି ବିବାଦ । ଦୀପାବଳୀ ତିଥିରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରି ଆଲୋକ ଦେଖାଇଲେ ପିତୃପୁରୁଷ ସ୍ବର୍ଗଲୋକ ଗମନ କରିଥାନ୍ତି । ସେଥିପାଇଁ ପରିବାର ସ୍ବଜନ ମାନେ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜାଳିଥାନ୍ତି । ଗତ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପଞ୍ଜିକାରେ ଦୁଇଦିନ ଦୀପାବଳୀ, ଦୀପଦାନ ପୟାଶ୍ରାଦ୍ଧ ରହିଛି । ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ରାଧାରମଣ, କୋହୀନୂର, ଅରୁଣଦ୍ଵୟ, ଭାଗ୍ୟଜୋତି ଓ ଜି ଏନ୍ ତ୍ରିପାଠୀ ପଞ୍ଜିକାରେ ୨୦ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧ ଲେଖାଯାଇଛି । ସେହିଦିନ ଦିନ ଠାରୁ ରାତି ପର୍ଯ୍ୟନ୍ତ ତା ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଥିବାରୁ ଦୀପଦାନ ଓ ପୟାଶ୍ରାଦ୍ଧ କରିବା ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି। ବିଶେଷକରି ଦୀପଦାନ ସାୟଂ କାଳୀନ ପର୍ବ। ତେଣୁ ୨୦ତାରିଖରେ ଏହା ଧର୍ମଶାସ୍ତ୍ର ବିଧିସମତ ବୋଲି କହିବା ସହ ସରକାର ୨୧ ତାରିଖର ଛୁଟିକୁ ପରିବର୍ତ୍ତନ କରି ୨୦ତାରିଖ କରିବାକୁ ଦାବି କରିଥିଲେ। ଯେଉଁ ମାନେ ସ୍ବୀକୃତି ପ୍ରାପ୍ତ ପଞ୍ଜିକାକୁ ବିରୋଧ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଓ ଧର୍ମଶାସ୍ତ୍ରଜ୍ଞ ମାନେ ମତ ରଖିଥିବା ନେଇ ଯୁକ୍ତି ବାଢିଛନ୍ତି।

ଅନ୍ୟ ପକ୍ଷରେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ଏହାକୁ ଖଣ୍ଡନ କରିଛନ୍ତି। ୨୦ ତାରିଖରେ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ରହିଥିବା ବେଳେ ରିକ୍ତା ତିଥି ହେତୁ ସେହି ଦିନ ପୟାଶ୍ରାଦ୍ଧ ଓ ଦୀପଦାନ ନକରି ୨୧ରେ କରିବାକୁ ମତ ରଖିଛନ୍ତି। ସେହିପରି ଅନେକ ପାଞ୍ଜୀକାରେ ୨୦ ତାରିଖରେ ଶ୍ୟାମା ପୂଜା ରହିଥିବା ବେଳେ ୨୧ ତାରିଖରେ ଦୀପଦାନ ପୟାଶ୍ରାଦ୍ଧ କରିବେ। ସେପଟେ ଶ୍ରୀମନ୍ଦିର ରେ ନୀତିକୁ ଆଗାମୀ ୨୧ ତାରିଖରେ ଅମାବାସ୍ୟା ତିଥି ରହିଥିବାରୁ ନାରାୟଣ ଠାକୁରଙ୍କର ସାଗର ବିଜେ ନୀତି ୨୧ ତାରିଖ ଦିନ କରାଯିବ। ପଞ୍ଜିକାରେ ସମନ୍ବୟ ରଖାଯାଇ ଶ୍ରୀମନ୍ଦିର ପକ୍ଷରୁ ବିବାଦକୁ ଏଡାଇବା ନେଇ ପ୍ରଚେଷ୍ଟା କରାଯାଇଥିବା ଜଣାପଡ଼ିଛି । ଦୀପଦାନ ଓ ପୟାଶ୍ରାଦ୍ଧର ହିନ୍ଦୁ ଧାର୍ମିକ ବିଧି ବ୍ୟବସ୍ଥା ମଧ୍ୟରେ ସ୍ୱତନ୍ତ୍ରତା ରହିଥିବା ବେଳେ ଏହାକୁ ପାଳନ ନେଇ ଦ୍ୱନ୍ଦ୍ୱ ରହିବା ଠିକ ନୁହେଁ ବୋଲି ମତ ପ୍ରକାଶ ପାଇଛି ।