ଚିନ୍ତା ବଢାଉଛନ୍ତି ବ୍ରିଟେନ୍ ଫେରନ୍ତା, ୨ ଦିନରେ ୨୦ ପଜିଟିଭ୍

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ଆତଙ୍କ ଖେଳାଇଛି । ୨ ଦିନରେ ଚିହ୍ନଟ ହୋଇଛନ୍ତି ୨୦ ପଜିଟିଭ୍ । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି ।

ଯାହା ଫଳରେ ଭାରତରେ ପୁଣି କଡ଼ା କଟକଣା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି  । ଏହାକୁ ଦୃଷ୍ଟିରେ ରଖି ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ମ୍ୟୁଟାଣ୍ଟ ଭାଇରସ୍ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସେପଟେ ନୂଆ ଭୂତାଣୁ ବିରୋଧରେ ବିଦେଶୀ ଓ ସ୍ୱଦେଶୀ କରୋନା ଟିକା କାମ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  ସୂଚନା ଦେଇଛି । ବେଙ୍ଗାଲୁର ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ, ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକୁଲାର ବାୟୋଲୋଜୀ ଓ ପୁନେର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜୀ ଲ୍ୟାବରେ ନମୁନା ପରୀକ୍ଷା ପରେ ୨୦ ବ୍ରିଟେନ୍ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ୟୁପି ମେରଠର ଜଣେ ୨ ବର୍ଷୀୟା ଝିଅ ରହିଛନ୍ତି । ହେଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ଅନ୍ୟପଟେ ବ୍ରିଟେନ ଫେରନ୍ତା ବହୁ ଯାତ୍ରୀଙ୍କ ପତ୍ତା ପାଉନି ପ୍ରଶାସନ । ପୁନେର ୧୦୯ ଯାତ୍ରୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଓଡ଼ିଶାରେ ୬୨ ଜଣଙ୍କ ଖବର ମିଳୁନି ।

ଅନ୍ୟ କେତେକ ରାଜ୍ୟରେ ବି ସମାନ ସମସ୍ୟା ଦେଖାଦେଇଛି । ବ୍ରିଟେନ ଫେରନ୍ତାମାନେ ନିଜ ଆଡୁ ତଥ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସରକାର ।

Leave a Reply