ପେନସନ ସ୍କିମରୁ ୨୦ ଲକ୍ଷ ହଡ଼ପ ଘଟଣା, ବିଇଓଙ୍କୁ ଉଠାଇ ନେଲା ଭିଜିଲାନ୍ସ

ଦାରିଙ୍ଗବାଡ଼ି: ନ୍ୟାସନାଲ ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଲା ଭିଜିଲାନ୍ସ । ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରିଥିଲେ ରସାନନ୍ଦ । ଗତ ଜାନୁଆରୀ ମାସରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ନିଜ ଆକାଉଣ୍ଟକୁ ନେଇ ତାହାକୁ ସେୟାର ମାର୍କେଟରେ ଲଗାଇଥିଲେ ।

ସରକାରୀ ଅର୍ଥର ଅପବ୍ଯବହାର ଓ ହଡ଼ପ ଅଭିଯୋଗରେ ରସାନନନ୍ଦଙ୍କ ଉପରେ ଗତ ମାସେ ଧରି ନଜର ରଖିଥିଲା ଭିଜିଲାନ୍ସ । ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ରସାନନ୍ଦ ଦୀର୍ଘ ବର୍ଷ ହେଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରି ଏହାକୁ ସେୟାର ବଜାରରେ ଲଗାଉଥିବା ଜଣାପଡ଼ିଛି । ବଦଳିର ଭୟ ଓ ପସନ୍ଦ ଅନୁସାରେ ବଦଳି ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ରସାନନ୍ଦ । ଏସବୁ ଟଙ୍କାକୁ ସେ ସେୟାର ମାର୍କେଟରେ ବିନିଯୋଗ କରୁଥିଲେ । ରସାନନ୍ଦ ଏତେ ଟଙ୍କା କିପରି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ ଓ ତାଙ୍କୁ ଏଥିରେ ଆଉ କେହି ସହଯୋଗ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ଼ କରାଯାଉଛି ।  ପୂର୍ବରୁ ବିଇଓ ରସାନନ୍ଦ କର କିଛି ଶିକ୍ଷକଙ୍କ ନିକଟରୁ ହାଉସିଂ ଲୋନ୍ କରାଇ ଦେବାକୁ କହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।