ଜାଣନ୍ତୁ କାହିଁକି ଟ୍ୱିଟର ସହ ଡିଲ୍ ବନ୍ଦ କରିବାକୁ ଚେତାବନୀ ଦେଲେ ଏଲନ ମସ୍କ ?

1 min read

ନୂଆଦିଲ୍ଲୀ: ଟ୍ୱିଟରରେ ୨୦ ପ୍ରତିଶତ ଆକାଉଣ୍ଟ ନକଲି । ଟ୍ୱିଟର ଡିଲ୍‌ ଉପରେ ଏଲନ ମସ୍କଙ୍କ ସନ୍ଦେହ । ଯେପର୍ଯ୍ୟନ୍ତ ଫେକ୍‌ ଆକାଉଣ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଟ୍ୱିଟର ପକ୍ଷରୁ ସ୍ପଷ୍ଟ ନକରାଯାଇଛି ସେ ପର୍ଯ୍ୟନ୍ତ ଡିଲ୍‌ ହୋଇପାରିବ ନାହିଁ ବୋଲି କହିଛନ୍ତି ଏଲନ ମସ୍କ । ଟ୍ୱିଟର ପକ୍ଷରୁ ୫ ପ୍ରତିଶତ ନକଲି ଆକାଉଣ୍ଟ ଥିବା ନେଇ କୁହାଯାଇଥିବା ବେଳେ ପ୍ରକୃତରେ ୨୦ ପ୍ରତିଶତ ନକଲି ଆକାଉଣ୍ଟ ରହିଛି ।

ତେବେ ଏଲନ ମସ୍କ କହିଛନ୍ତି, ସେ ପର୍ଯ୍ୟନ୍ତ ସେ ଟୁଇଟର ସହ ଚୁକ୍ତିନାମାକୁ ଆଗକୁ ବଢାଇବେ ନାହିଁ ଯେ ପର୍ଯ୍ୟନ୍ତ କମ୍ପାନୀ ଏହା ସାବ୍ୟସ୍ତ ନକରିଛି ଯେ, ଏହାର ପ୍ଲାଟଫର୍ମରେ ୫ ପ୍ରତିଶତରୁ କମ ଫେକ୍ ଆକାଉଣ୍ଟ ରହିଛି । ୪୪ ବିଲିୟନ ଡଲାରରେ ଟୁଇଟରକୁ କିଣିବା ନେଇ ଏଲନ ମସ୍କ ଡିଲ୍‌ କରିଥିବା ବେଳେ ଏଭଳି ନକଲି ଆକାଉଣ୍ଟ ତଥ୍ୟ ପରେ ଟ୍ୱିଟର ଡିଲ୍‌ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅଟକିଯିବ ।

ଅନ୍ୟପକ୍ଷରେ ଯଦି ଟ୍ୱିଟର ସହ ଏଲନ ମସ୍କ ଡିଲ୍‌ ବାତିଲ କରନ୍ତି, ତା’ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିପାରେ। କାରଣ ନିୟମ ଅନୁଯାୟୀ ଯଦି ମସ୍କ ଏହି ଡିଲ୍‌ ବାତିଲ କରିବେ, ତେବେ କମ୍ପାନୀକୁ ୧ ବିଲିୟନ ଡଲାରର ଫାଇନ ଦେବାକୁ ପଡ଼ିବ । ସେପଟେ ମସ୍କଙ୍କ ଏପରି ଡିଲ୍‌ ବାତିଲ କରିବା ଖବର ସାମ୍ନାକୁ ଆସିବା ପରେ ଟ୍ୱିଟରର ଶେୟାର ୮%ରୁ ଅଧିକ ହ୍ରାସ ପାଇଛି ।