ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ମାମଲା: ଓଡ଼ିଆ ସାମ୍ୱାଦିକଙ୍କ ସମେତ ୨ ମହିଳା ସାମ୍ୱାଦିକାଙ୍କ ଜାମିନ ମଞ୍ଜୁର

ନୂଆଦିଲ୍ଲୀ: ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି ଉଦ୍ୟମ ଅଭିଯୋଗରେ ତ୍ରିପୁରା ପୋଲିସ ଦ୍ୱାରା ଗିରଫ ଓଡିଆ ସାମ୍ବାଦିକ ସମୃଦ୍ଧି ସକୁନିଆ ସମେତ ୨ ମହିଳା ସାମ୍ବାଦିକଙ୍କୁ ଜାମିନ । ସମୃଦ୍ଧିଙ୍କ ଘର ଝାରସୁଗୁଡାର ମନୋହରପଡାରେ । ଉତ୍ତେଜନା ସୃଷ୍ଟିକାରୀ ଖବର ପ୍ରସାରଣ ଅଭିଯୋଗରେ ସମୃଦ୍ଧି ଓ ଅନ୍ୟତମ ସାମ୍ବାଦିକା ସ୍ୱର୍ଣ୍ଣା ଝା’ଙ୍କୁ ଗିରଫ କରିଥିଲା ପୋଲିସ । ଆଜି ଉଭୟଙ୍କୁ ତ୍ରିପୁରା ପୋଲିସ ହାତରେ ହସ୍ତାନ୍ତର କରିଛି ଆସାମ ପୋଲିସ । ତେବେ ସେମାନଙ୍କୁ ଜାମିନ ମଞ୍ଜୁର କରିଛନ୍ତି ଆସାମ ଗୋମତୀ ଜିଲ୍ଲାର ଏକ କୋର୍ଟ । ସେମାନେ ଉତ୍ତର ତ୍ରିପୁରାର ପଲ୍ ବଜାରରେ ସାମ୍ପ୍ରଦାୟିକ ହିଂସା ଉଦ୍ରେକକାରୀ ଖବର ପ୍ରସାରଣ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା ।

ଏହା ସହ ଫତିକରୟ ପୋଲିସ ଥାନାରେ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା । ଆସନ୍ତା ୨୧ତାରିଖରେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବା ଲାଗି ସେମାନଙ୍କୁ ନୋଟିସ ଦିଆଯାଇଛି । ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟଙ୍କ ଅଭିଯୋଗ ଆଧାରରେ ଦୁଇ ମହିଳା ସାମ୍ବାଦିକଙ୍କୁ ଅଟକ କରିଥିଲା ଆସାମ କରିମଗଞ୍ଜ ପୋଲିସ । ଗୋମତି ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଅଟକ କରାଯାଇଥିଲା । ଆଜି ସେମାନଙ୍କୁ ତ୍ରିପୁରା ପୋଲିସକୁ ହସ୍ତାନ୍ତର କରିଛି ଆସାମ ପୋଲିସ । ଏ ନେଇ ତ୍ରିପୁରା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତ୍ରିପୁରା ଦଙ୍ଗାକୁ ନେଇ ଖବର ପ୍ରସାରଣ କରିଥିବା ଅଭିଯୋଗରେ ସମୃଦ୍ଧି ସକୁନିଆ ଓ ସ୍ବର୍ଣ୍ଣ ଝାଙ୍କୁ ଅଟକ ରଖିଥିଲା ଆସାମ ପୋଲିସ । ଦୁଇ ଭିନ୍ନ ସମ୍ପ୍ରଦାୟକୁ ନେଇ ମିଥ୍ୟ ଖବର ପ୍ରସାରଣ ଓ ହିଂସା ସୃଷ୍ଟି କରିବା ଅଭିଯୋଗରେ ଏୟାରପୋର୍ଟରୁ ସେମାନଙ୍କୁ ପୋଲିସ ଉଠାଇ ଆଣିଥିଲା । ମହିଳା ସାମ୍ବାଦିକଙ୍କ ଗିରଫଦାରିକୁ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ନିନ୍ଦା କରିବା ସହ ତୁରନ୍ତ ସେମାନଙ୍କୁ ମୁକ୍ତ କରିବା ସହ ଯାତ୍ରା କରିବାର ସ୍ୱାଧୀନତା ପ୍ରଦାନ କରିବାକୁ ଟ୍ୱିଟ୍ କରିଛି । ସପ୍ତାହେ ପୂର୍ବେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୋଭାଯାତ୍ରା ବେଳେ ତ୍ରିପୁରାରେ ମସଜିଦ ଭଙ୍ଗା ଯାଇଥିବା ଓ ଏହାକୁ ନେଇ ଦଙ୍ଗା ସୃଷ୍ଟି ହୋଇଥିବା ସମ୍ପର୍କିତ ଖବର ପ୍ରସାରଣ ହୋଇଥିଲା । ମାତ୍ର ଖବର ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବା ଭଳି ଖବର ପ୍ରସାରଣ କରିଥିବାରୁ ସାମ୍ବାଦିକା ସମୃଦ୍ଧି ଓ ସ୍ୱର୍ଣ୍ଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।

 

Leave a Reply