spot_img

Latest Posts

ୟୁକ୍ରେନ୍‌-ଋଷିଆ ଯୁଦ୍ଧ: ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି ରକେଟ ମାଡ଼ କଲା ରୁଷ, ୩୦ ମୃତ

ଥମୁନି ଋଷ୍‌ ୟୁକ୍ରେନ୍‌ ଯୁଦ୍ଧ । ଧୂଳିସାତ୍‌ ହୋଇଗଲାଣି ଅନେକ ସହର । ଘଡ଼ି ଘଡ଼ିକେ ବିପଦ । ମୃତ୍ୟୁ କେବଳ ଡରାଉନି କେତେବେଳେ ମାଡ଼ି ବସୁଛି ତାହାର ଠିକଣା ନାହିଁ । ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସୈନ୍ୟଙ୍କ ପର୍ଯ୍ୟନ୍ତ ଜୀବନ ହରାଇଲେଣି । ଏଭଳି ସ୍ଥିତିରେ  ଆଉ ଏକ ଖବର ଆସିଛି । ଖବର ଅନୁସାରେ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି ରକେଟ ମାଡ଼ କରିଛି ରୁଷ। ଏହି ରକେଟ ମାଡ଼ରେ ୩୦ଜଣ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣ ଆହତ ହୋଇଛନ୍ତି।

ସାଧାରଣ ନାଗରିକମାନେ ଦେଶର ନିରାପଦ ସ୍ଥାନକୁ ଯିବା ପାଇଁ ରେଳ ଷ୍ଟେସନକୁ ଆସିଥିଲେ। ଏହି ସମୟରେ ରକେଟ ମାଡ଼ ହୋଇଥିଲା ବୋଲି ରାଜ୍ୟ ରେଳ କମ୍ପାନୀ କହିଛି। ରୁଷର ଦୁଇଟି ରକେଟ୍ କ୍ରାମାଟରସ୍କରେ ଥିବା ରେଳ ଷ୍ଟେସନ ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭରୁ ଆକ୍ରମଣର ଶିକାର ହୋଇଥିବା ଏହି ରେଳ ଷ୍ଟେସନରୁ ଅନେକ ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ୟୁକ୍ରେନବାସୀ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଏହି ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ବେଳେ ରୁଷ ଆକ୍ରମଣ କରିଛି। ଏହି ଆକ୍ରମଣ ପାଇଁ ୩୦ଜଣଙ୍କ ଜୀବନହାନି ଘଟିଛି।

ଅନ୍ୟପକ୍ଷରେ ୟୁକ୍ରେନୀୟ ସହରଗୁଡ଼ିକରେ ଆକ୍ରମଣ କରିବା ବେଳେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ରୁଷ୍‌ ବିପୁଳ ସୈନ୍ୟ ହରାଇଥିବା କଥା ସ୍ବୀକାର କରିଛି। ‘ସ୍କାଏ ନିଉଜ୍‌’ ସହିତ ଆଳାପ ବେଳେ କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍‌ ଦୁଃଖ ପ୍ରକାଶ କରି କହିଛନ୍ତି, ଆମେ ଉଲ୍ଲେଖନୀୟ ସଂଖ୍ୟକ ସୈନ୍ୟ ହରାଇଛୁ। ଏହା ଆମ ପାଇଁ ବଡ଼ ଦୁଃଖଦ ଘଟଣା।

Latest Posts

Don't Miss