ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠାରୁ ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲ ଗୁଡିକ ପ୍ରସ୍ତୁତି ଚୂଡାନ୍ତ କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର, ଉତ୍ତର ଖାତା ସହ ଟାଇମ୍ ଟେବୁଲ ପଠାଯାଇଛି । ଏନେଇ ଏକ୍ସଟରନାଲ ମାନଙ୍କୁ ଚିଠି କରାଯାଇଛି । ଆସନ୍ତାକାଲି 9ଟା 30 ରୁ ଛାତ୍ର ଛାତ୍ରୀ ମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ 10 ଟା ରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ 2 ଟାରୁ ଆରମ୍ଭ ହୋଇ 5 ଟା ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନରେ ଫିଜିକ୍ସ, ବଟନି, ଜୁଲୋଜି, କେମେଷ୍ଟ୍ରୀ, ଇନଫରମେସନ୍ ଟେକ୍‌ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ ।

ସେହିପରି ବାଣିଜ୍ୟରେ ଆକାଉଣ୍ଟାସି, ବିଏମ୍‌ଏସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ । କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲଜି, ଜିଓଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଯୁକେସନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରାକ୍ଟିକାଲ ପରୀକ୍ଷା ନେଇ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲରେ ପ୍ରସ୍ତୁତି ସରିଛି । ସମସ୍ତ ଲ୍ୟାବକୁ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ବିଜେବିରେ ବିଜ୍ଞାନରେ ୫୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ।