ଓଡ଼ିଆ ଝିଅଙ୍କ ସାହାସିକତା: ଦେବଦୂତ ସାଜି ମୃତ୍ୟୁ ମୁହଁରୁ ପର୍ଯ୍ୟଟକଙ୍କୁ ଟାଣିଆଣିଲେ

ରାୟଗଡ଼ା: ଦୁଇ ଓଡ଼ିଆ ଝିଅଙ୍କ ସାହସିକତା । ପର୍ଯ୍ୟଟକଙ୍କୁ ମୃତ୍ୟୁମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ଓଡ଼ିଆ ଝିଅ । ଏହି ଦୁଇଜଣ ହେଲେ ଆକାଂକ୍ଷା ଓ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ । ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନସ୍ଥଳୀକୁ ଏ ଦୁଇଜଣ ପରିବାର ସହ ବୁଲିବାକୁ ଯାଇଥିଲେ । ସେଠାରେ ଗ୍ଲାସିୟର ପଏଣ୍ଟରେ ବରଫ ତରଳିବା ଫଳରେ ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ଓ ଦୁଇ ଶିଶୁ ଫସି ରହିଥିଲେ ।

ସେଠାକୁ ଯିବା ବିପଦ ଯୋଗୁ କେହି ସେଠାକୁ ଯାଉନଥିଲେ । କିନ୍ତୁ ଦେବଦୂତ ସାଜିଥିଲେ ଆକଂକ୍ଷା ସାହୁ ଓ ଆୟୁଷୀ ସାହୁ । ସେମାନେ ପ୍ରଥମେ ଦୁଇ ପିଲାଙ୍କୁ ଓ ପରେ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଆକାଂକ୍ଷା ସାହୁ ଓ ଆୟୁଷୀ ସାହୁଙ୍କ ସାହସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଆକାଂକ୍ଷା ରାୟଗଡ଼ା ସହରର ରିଂ ରୋଡରେ ରହୁଥିବା ବେଳେ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ ପାରଳାଖେମୁଣ୍ଡିରେ ରହୁଛନ୍ତି । ଅଘଟଣ ସମସୟରେ ଦେବଦୂତ ସାଜି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିବାରୁ ଆକାଂକ୍ଷା ଓ ଆୟୁଷୀଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।