ଭିମ୍‌ସାର୍‌-ଏମ୍‌କେସିଜିରେ ପ୍ଲାଜ୍‌ମା ଥେରାପି ଆରମ୍ଭ…

MSME Services Online Included In 5T Mo Sarkar

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ଓ ପଞ୍ଚମ ପ୍ଲାଜ୍‌ମା ବ୍ୟାଙ୍କର ଶୁଭାରମ୍ଭ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ବୁର୍ଲା ଭିମସାର ଓ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଜିଠୁ ପ୍ଲାଜମା ଚିକିତ୍ସା ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ବୁର୍ଲା ଭିମସାରରେ ଏହି ପ୍ଲାଜମା ବ୍ୟାଙ୍କ ଖୋଲିଲେ ଅନେକ କରୋନା ରୋଗୀ ଲାଭବାନ ହେବେ ବୋଲି କୁହାଯାଇଛି ।

ତେବେ ରାଜ୍ୟରେ ଜୁଳାଇ ୧୫ରେ ପ୍ରଥମ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଥିଲେ । କଟକ ଏସସିବିରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ ହୋଇଥିଲା । କରୋନାରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ଲୋକଙ୍କଠାରୁ ପ୍ଲଜ଼ମା ନିଆଯିବ । କରୋନାରେ ଗୁରୁତର ରୋଗୀଙ୍କୁ ସେହି ପ୍ଲାଜମା ଦିଆଯିବ ।

ପ୍ଲାଜ୍‌ମା ଥେରାପି କରୋନା ପାଇଁ ରାମ ବାଣ ସଦୃଶ କାମ କରିଛି । ପ୍ଲାଜ୍‌ମା ଥେରାପି ଯୋଗୁଁ ଅନେକ ଗୁରୁତର କରୋନା ଗୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି । ତେଣୁ ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନେ ସ୍ୱଇଚ୍ଛାରେ ପ୍ଲାଜ୍‌ମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ୍‌ ଦେଇଛନ୍ତି ।

ତେବେ ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍‌ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡ୍‌ ମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର ଏସ୍‌ସିବି, ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲାର ଆଇଜିଏଚ୍‌ ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି ।

Leave a Reply