ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍
1 min readଭୁବନେଶ୍ବର: ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟଙ୍କ ବିରୋଧରେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବା ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି) ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।