ପାରିବାରିକ କଳହର କରୁଣ ପରିଣତି: ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ, ଦୁଇ ମୃତ

ରାୟଗଡ଼ା: ପାରିବାରିକ କଳହ ଓ ଋଣ ଭାର ପାଇଁ ଚାଲିଗଲା ୨ ଜୀବନ । ଏବେ ବି ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ପରିବାରର ଆଉ ୩ ସଦସ୍ୟ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗାଁରେ ବେକେରୀରେ ନିଆଁ ଲାଗିବା ଘଟଣାରେ ନୂଆମୋଡ଼ । ସର୍ଟସର୍କିଟରୁ ନୁହେଁ ବରଂ ପାରିବାରିକ କଳହରୁ ପରିବାର ଲୋକଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ବାପା ଦୟାନିଧି । ନିଆଁରେ ପୋଡି ବେକେରୀ ମାଲିକ ଦୟାନିଧି ବେହେରା ଓ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ପୁଅ ଓ ବୋହୂ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ସୂଚନା ଅନୁସାରେ ଦୀର୍ଘଦିନ ହେବ ବେକେରୀ କରି ଦୟାନିଧିଙ୍କ ପରିବାର ଚଳୁଥିଲା । ବହୁ ଧାର କରଜ ମୁଣ୍ଡରେ ଥିବାରୁ ଘରେ ପ୍ରତିଦିନ ଲାଗୁଥିଲା ଝଗଡା । ଶେଷରେ ଗତକାଲି ବଡ଼ପୁଅ ଘରେ ନଥିବା ବେଳେ ମଝିଆ ପୁଅ ଅନୀଲ ଓ ବାପା ଦୟାନିଧିଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ରାଗିଯାଇ ବାପା ଘରର ସବୁ କବାଟ ଝରକା ବନ୍ଦ କରି ପରିବାର ଲୋକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗି ଦୟାନିଧି ଓ ପତ୍ନୀ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ହୋଇଛି । ମଝିଆ ପୁଅ ଅନିଲ, ବୋହୂ ସ୍ବପ୍ନା ଓ ସାନପୁଅ ଶ୍ରୀକାନ୍ତ ବେହେରାଙ୍କର ଚାଲିଛି ଚିକିତ୍ସା । ଘଟଣାରେ କଲ୍ୟାଣସିଂହପୁର ପୋଲିସ ଅଧିକ ତଦନ୍ତ କରୁଛି ।