ଜଳତରଙ୍ଗ ପ୍ରପାତରେ ଅଘଟଣ, ବୁଡିଗଲେ ୨ ଛାତ୍ରୀ ଏବେବି ଜଣେ ନିଖୋଜ

ଏଲୁର: ମାଡ଼ିଆସିଲା ପାହାଡ଼ି ପାଣି । ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ଯୁ । ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ଆନ୍ଧ୍ର ସୀତାରାମରାଜୁ ଜିଲ୍ଲା ଜଳତରଙ୍ଗ ପ୍ରପାତରେ ଘଟିଛି ଏଭଳି ବଡ଼ ଅଘଟଣ । ଗତକାଲି ଆନ୍ଧ୍ର ଏଲୁର ମେଡିକାଲ କଲେଜର ୧୩ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ ।

ଜଳପ୍ରପାତ ନିକଟରେ ବସିଥିବାବେଳେ ହଠାତ ପାଣି ମାଡ଼ିଆସିଥିଲା । ଉପରମୁଣ୍ଡରେ ବର୍ଷା ଯୋଗୁ ପାହାଡ଼ି ପାଣି ମାଡ଼ି ଆସି ଛାତ୍ରଛାତ୍ରୀଙ୍କୁ ଭସାଇ ନେଇଥିଲା । ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଗତକାଲି ସନ୍ଧ୍ଯାରେ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏବେବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।