କରୋନା ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତିରେ ୨ ଲକ୍ଷ କୋଟି ଟଙ୍କା କ୍ଷତି: RBI

1 min read

ନୂଆଦିଲ୍ଲୀ: କୋଭିଡ ଦ୍ବିତୀୟ ଲହରୀକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଚିନ୍ତାଜନକ ତଥ୍ୟ । ଏହି ଲହରୀ କାଳରେ ଦେଶ ସମ୍ମୁଖୀନ ହୋଇପାରେ ଗଭୀର ଅର୍ଥନୈତିକ ଦୁଃସ୍ଥିତି । ଚଳିତ ଆର୍ଥିକ ବର୍ଷରେ ଦେଶ ୨ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି ପ୍ରକାଶ କରିଛି ଆରବିଆଇ । ୨୦୨୧ ଜୁନ ଲାଗି ପ୍ରକାଶିତ ମାସିକ ବୁଲେଟିନରେ ଆରବିଆଇ କହିଛି- କୋଭିଡଜନିତ ବିଭିନ୍ନ କଣ୍ଟେନମେଣ୍ଟ ପଦକ୍ଷେପ ଯୋଗୁ ବହୁ କ୍ଷୁଦ୍ର ସହର ଓ ଗ୍ରାମରେ ଚାହିଦା ବହୁମାତ୍ରାରେ ହ୍ରାସ ପାଇଛି ।

କୋଭିଡର ଦ୍ବିତୀୟ ଲହରୀ ମୁଖ୍ୟତଃ ଆଭ୍ୟନ୍ତରୀଣ ଚାହିଦାକୁ ଗଭୀର ଭାବେ ପ୍ରଭାବିତ କରିଛି । କରୋନା ଭାଇରସଜନିତ ମହାମାରୀ ପରିପ୍ରେକ୍ଷୀରେ ପୂର୍ବାବସ୍ଥା ଫେରି ଆସିବା ନେଇ ଏବେ ବି ସଂଶୟ ଜାରି ରହିଛି । ଏହି ବୁଲେଟିନରେ ରିଜର୍ଭ ବ୍ୟାଙ୍କ ଦେଶର ସାମଗ୍ରିକ ଆର୍ଥିକ ସ୍ଥିତିର ଚିତ୍ର ପ୍ରକାଶ କରିଥିବାବେଳେ ଦେଶର ରାଜସ୍ବ ଫ୍ରେମୱର୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ କୁହାଯାଇଛି- ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଦେଶରେ ଆଭ୍ୟନ୍ତରୀଣ ଚାହିଦା ଉପରେ ପ୍ରଭାବ ପଡିଛି । ଏହା ସତ୍ତ୍ବେ କୃଷି, ଶିଳ୍ପ ଉତ୍ପାଦନ, ରପ୍ତାନି, ପ୍ରତ୍ୟକ୍ଷ ସମ୍ପର୍କବିହୀନ ସେବା ଆଦି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।

ତେବେ ଦେଶରେ ପରିବର୍ଦ୍ଧିତ ଟିକାକରଣ ପ୍ରକ୍ରିୟା ଆର୍ଥିକ ଅବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇବା ଦିଗରେ ସକ୍ଷମ ହୋଇପାରିବ ବୋଲି ଆରବିଆଇ ଆଶା ବ୍ୟକ୍ତ କରିଛି । ରାଜସ୍ବ ଫ୍ରେମୱର୍କ ଓ ଗୁଣବତ୍ତାଭିତ୍ତିକ ବ୍ୟୟ ଦୃଷ୍ଟିରୁ ଆରବିଆଇ କହିଛି- ସାରା ବିଶ୍ବରେ କରୋନା ଭାଇରସ ଯୋଗୁ ଅନେକ ରାଷ୍ଟ୍ରର ସରକାରଙ୍କ ଆର୍ଥିକ ପଦକ୍ଷେପ ପରି ଭାରତରେ ମଧ୍ୟ ସମଅବସ୍ଥା ପରିଲକ୍ଷିତ ହୋଇଛି ।

Leave a Reply