ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ୨ ମତ୍ସ୍ୟଜୀବୀ, ଜଣେ ମୃତ

ଧାମରା: ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ୨ ମତ୍ସ୍ୟଜୀବୀ । ଜଣେ ମୃତ, ଅନ୍ୟଜଣେ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ଧାମରା ନିକଟ କରଞ୍ଜମାଳ ପଞ୍ଚାୟତର ୨ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଉଚ୍ଚ ଜୁଆର ମାଡରେ ଭାସିଯାଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ସମୁଦ୍ରକୁ ମାଛ ମାରିବାକୁ ଧାନକୁଟାର ଲକ୍ଷ୍ମୀଧର ଦାସ ଓ ପ୍ରଶାନ୍ତ ଦାସ ଯାଇଥିଲେ । ସେ ନିକଟସ୍ଥ ବଙ୍ଗୋପସାଗରକୂଳଠାରୁ କିଛି ଦୂରରେ ବେଢ଼ ଜାଲ ମାରିଥିଲେ ।

ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚ ଜୁଆରରେ ଲକ୍ଷ୍ମୀଧର ଦାସ ଭାସି ଯାଇଥିଲେ । ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ସଙ୍ଗେସଙ୍ଗେ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ। ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ । ଧାମରା ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ବି ଅଶାନ୍ତ ସମୁଦ୍ର ଯୋଗୁ ପାଣିକୁ ଯାଇନଥିଲେ । ପରେ ସ୍ଥାନୀୟ ଲୋକ ଲକ୍ଷ୍ମୀଧରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସେପଟେ ପାଣିରେ ବୁଡି ଶ୍ୱାସ ରୁଦ୍ଧ ହୋଇଥିବା ପ୍ରଶାନ୍ତଙ୍କୁ ଚିକିତ୍ସା କରିବା ପାଇଁ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।