ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା, ଦୁଇଟି ପଦ୍ଧତିରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନର ହେବ ପରୀକ୍ଷା । ମୋଟ ୩ ଲକ୍ଷ ୨୦ ହଜାର ପିଲା ଯୁକ୍ତ ଦୁଇ ପରୀକ୍ଷା ଦେବେ । ଯୁକ୍ତ ଦୁଇ ପରୀକ୍ଷା ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଲ କରାଯାଇଛି । ଖରା ପାଇଁ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ନିଜ କଲେଜ ଓ ଶିକ୍ଷକଙ୍କ ଅଧୀନରେ ଚଳିତ ଥର ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଶେଷ କ୍ୱାର୍ଟର ପରୀକ୍ଷାର ଥିଓରୀ ଓ ପ୍ରାକ୍ଟିକାଲ ମାର୍କରୁ ପିଲାଙ୍କୁ ୨୦ ପ୍ରତିଶତ ମାର୍କ ମିଳିବ ।

ସେହିପରି ମୂଲ୍ୟାୟନ ପାଇଁ ଦୁଇଟି ପଦ୍ଧତି ଅବଲମ୍ବନ କରାଯିବ । ପ୍ରଥମଟିରେ ପିଲାଙ୍କୁ ଫାଇନାଲ ପରୀକ୍ଷା ଆଧାରରେ ରେଜଲ୍ଟ ଘୋଷଣା କରାଯିବ । ଦ୍ୱିତୀୟଟିରେ ଫାଇନାଲ ପରୀକ୍ଷାରୁ ୮୦ ପ୍ରତିଶତ ଏବଂ ଶେଷ କ୍ୱାର୍ଟର ପରୀକ୍ଷାରୁ ୨୦ ପ୍ରତିଶତ ମାର୍କ ମିଳିବ । ଉଭୟ ମୂଲ୍ୟାୟନ ପଦ୍ଧତିରେ ସର୍ବାଧିକ ମାର୍କକୁ ରେଜଲ୍ଟ ଘୋଷଣା କରାଯିବ । ମହାମାରୀ ପରେ ଏଥର ପ୍ରଥମ ଥର ପାଇଁ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହେଉଛି ।