ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ୧୧ ଶହ ୩୩ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନ ପତ୍ରକୁ ହବରୁ ପୋଲିସ ଓ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି । ବିଜେବି ଜୁନିଅର କଲେଜର ହବ୍ ସହିତ ୫ଟି ପରୀକ୍ଷା କେନ୍ଦ୍ର ସହିତ ସଂଯୋଗ କରାଯାଇଛି । ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ସଂଗ୍ରହ କରିବାକୁ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଦୁଇ ବର୍ଷ ପରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେଉଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ପରୀକ୍ଷା ହେବ । ସକାଳ ୮ଟା ରୁ ୮.୩୦ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରକୁ ଛଡ଼ାଯିବ ।

ଛାତ୍ରଛାତ୍ରୀ ସାଙ୍ଗରେ କେବଳ ଆଡମିଟ କାର୍ଡ, ବ୍ଲାକ ବଲ ପେନ୍, ପାଣି ବୋତଲ ଓ ସାନିଟାଇଜର ନେଇ ପାରିବେ । କମ୍ପାସ ବକ୍ସ ବା ପେନସିଲ ବକ୍ସ ନେବା ଉପରେ କଟକଣା ଜାରି ହୋଇଛି । ଲେଖିବା ପାଇଁ ୨୮ ପୃଷ୍ଠା ସମ୍ବଳିତ ଉତ୍ତର ଖାତା ଦିଆଯିବ । ଏହା ବ୍ୟତୀତ ଆଡିସନାଲ ପେପର ଦିଆଯିବ ନାହିଁ । ମୋଟ ୧୧ ଶହ ୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭ ଓ ବାଣିଜ୍ୟରେ ୨୪ ହଜାର ୧୩୬ ଏବଂ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେବେ । ରାଜ୍ୟର ୨୦୨ ହବରେ ପ୍ରଶ୍ନପତ୍ର ମହଜୁଦ ରହିଛି । ଆଜି ସକାଳ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ସେହିଭଳି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ କୋଭିଡ-୧୯କୁ ନଜରରେ ରଖି ବସିବା ବ୍ୟବସ୍ଥା କରାଯାଇଛି । ଖରାକୁ ଆଖିରେ ରଖି କେନ୍ଦ୍ରରେ ପାଣି ଓ ଅନ୍ୟାନ୍ୟ ଫାଷ୍ଟଏଡ ବ୍ୟବସ୍ଥା କରାଯାଇଛି ।