ଆଜିଠୁ +୨ ପରୀକ୍ଷା, ପ୍ରଥମ ଦିନରେ ହେବ ଓଡ଼ିଆ ପରୀକ୍ଷା

1 min read

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା। ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା । ପରୀକ୍ଷା ଶୃଙ୍ଖଳିତ କରିବା ପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ବାହାରେ ପୋଲିସ ମୁତୟନ ସହ ଜିଲ୍ଲା ପ୍ରଶାସନର ସହଯୋଗରେ ପରୀକ୍ଷା କରାଯାଇଛି। ରାଜ୍ୟର ୧୨ଶହ ୭୬ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେବେ। ୧୯ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। CHSE ପରିସରରେ ନିୟନ୍ତ୍ରଣ କକ୍ଷ କରାଯାଇଛି। ଯେଉଁଠି ଏକାସଙ୍ଗରେ ୫ଶହ ପରୀକ୍ଷା କେନ୍ଦ୍ରର ସ୍ଥିତି ସିସିଟିଭିରେ ଦେଖିହେବ। ଏଥର ପରୀକ୍ଷା ପାଇଁ ପଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି ।

ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଏକ ସ୍କ୍ୱାଡ୍ ସହ, ପର୍ଯ୍ୟବେକ୍ଷକ ସ୍କ୍ୱାଡ୍, ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ୱା଼ଡ୍, ଜୋନାଲ, ସେଣ୍ଟ୍ରାଲ ସ୍କ୍ୱାଡ୍ ଗଠନ କରାଯାଇଛି । ଉତ୍ତରପତ୍ର ଓ ପ୍ରଶ୍ନପତ୍ର ସକାଳ ୮ଟା ୩୦ ମଧ୍ୟରେ ହବରୁ ପରୀକ୍ଷା କେନ୍ଦ୍ରରେ ପହଂଚିବ । ସକାଳ ୯ଟା ୩୦ରେ ପ୍ରଶ୍ନପତ୍ର ଖୋଲାଯିବ। ୯ଟା ୪୫ରେ ଉତ୍ତର ଖାତା ଦିଆଯିବ ଓ ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। କେହି ବି ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ସାଇଲେଣ୍ଟ ମୋଡ଼ରେ ମୋବାଇଲ ଫୋନ ରଖିପାରିବେ। ଏବେ ନୂତନ ପରୀକ୍ଷା ଢାଞ୍ଚାରେ କ୍ୟାମେରା ଵ୍ୟଵସ୍ଥା ହୋଇଛି । ଯାହା ଫଳରେ ସ୍ଵଛତାର ସହ ପରୀକ୍ଷା ହେବ। ହବ୍ ବ୍ୟବସ୍ଥା ଯୋଗୁ ପ୍ରଶ୍ନପତ୍ର ଲିକର ସମ୍ଭାବନା ମଧ୍ୟ କମ ରହିଛି ।