କୃଷିଋଣ ଦୁର୍ନୀତିରେ ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ଅଧିକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର/ସମ୍ବଲପୁର: କୃଷିଋଣ ଜାଲିଆତି କରି ବନ୍ଧାହେଲେ ୨ ବ୍ୟାଙ୍କର୍ସ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସିଣ୍ଡିକେଟ ବ୍ୟାଙ୍କର ୨ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି । ଦୁହେଁ ବୁର୍ଲା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାଶ ଓ ପୂର୍ବତନ ସହକାରୀ ମ୍ୟାନେଜର ମାରିନସ୍ ଲାକ୍ରା । ଜାଲ୍ କାଗଜପତ୍ର ଜରିଆରେ ୧୯୬ ଜଣଙ୍କ ନାଁରେ ୧ ଲକ୍ଷ ଟଙ୍କା ଲେଖାଏଁ କୃଷିଋଣ ମଞ୍ଜୁର କରିଥିଲେ । ୨୦୧୪ରୁ ୧୬ ମସିହା ମଧ୍ୟରେ ସିଣ୍ଡିକେଟ କିଶାନ କାର୍ଡ ଜରିଆରେ ୧ କୋଟି ୯୬ ଲକ୍ଷ ଟଙ୍କାର କାରବାର ହୋଇଥିଲା ।କେୱାଇସି ଯାଞ୍ଚ ବେଳେ ଋଣ ନେଇଥିବା ଲୋକ ଓ ତଥ୍ୟରେ ତାଳମେଳ ହୋଇନଥିଲା । ଏପିରିକି ଋଣ ଦିଆଯାଇଥିବା ୧ କୋଟି ୯୬ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଏନପିଏ ଘୋଷଣା କରିଥିଲା । କୃଷିଋଣ ପ୍ରଦାନରେ ଘୋଟାଲା ନେଇ ସିଣ୍ଡିକେଟ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ ଶାଖାର ମ୍ୟାନେଜର କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଇଓଡବ୍ଲୁ ମାମଲା ରୁଜୁ କରିବା ସହ ଆଇପିସି ଧାରା ୪୧୯/୪୨୦/୪୬୭/୪୬୮/୪୭୧/୪୦୯/ ୧୨୦ (ବି)ରେ ଉଭୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏଥିସହ ଗିରଫଙ୍କ ବାସଭବନରେ ରେଡ୍ କରାଯାଇ ବହୁ କାଗଜପତ୍ର ଇଓଡବ୍ଲୁ ଜବତ କରିଛି ।ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ କେତେବେଳେ ଚାଷୀ ଋଣ ପାଇଁ ଜୀବନ ହାରୁଛି ତ ଆଉ କେବେ ଟଙ୍କା ଅଭାବରୁ ଫସଲ ନଷ୍ଟ ଖବର ସାମନାକୁ ଆସୁଛି । ଏପରିସ୍ଥଳେ କୃଷିଋଣ ନାଁରେ ବ୍ୟାଙ୍କ କର୍ମଚାରୀ ପ୍ରାୟ ୨ କୋଟି ଟଙ୍କାର ଘୋଟାଲା ସମ୍ବଲପୁରରେ ଚାଷୀଙ୍କୁ କେମିତି ଋଣ ଦିଆଯାଉଛି ତାକୁ ପ୍ରମାଣିତ କରିଛି ।

Leave a Reply