କାଦୁଆ ଗାଁରେ ମାତିଛନ୍ତି ମହୁମାଛି, ଦୁଇ ଜଣଙ୍କ ଜୀବନ ନେଇଗଲେ

ଢେଙ୍କାନାଳ: କାମାକ୍ଷାନଗର ଥାନା କାଦୁଆ ଗାଁରେ ଏଭଳି ଅଘଟଣ ଘଟିଛି । ମହୁମାଛି ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଛନ୍ତି । ୨ ମୃତକ ହେଲେ ଝୁମର ସେଠୀ ଏବଂ ମାୟାଧର ଦେହୁରୀ । ମାୟାଧର ନିଜ ଚାଷଜମିରୁ ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଝୁମର ସେଠୀ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।