ଶୂନ୍ୟ ହୋଇଗଲା ମାଆର କୋଳ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ

ସୁନ୍ଦରଗଡ଼: ପବିତ୍ର ଦୀପାବଳିରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କର ଜୀବନ । ଦୀପାବଳିରେ ଲିଭିଗଲା ଦୁଇଭାଇଙ୍କ ଜୀବନ ଦୀପ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡି ନିକଟରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହି ଦୁଇ ଭାଇ ଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । କାଦଡ଼ିହା ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ ଦୁଇ ଭାଇ ଏକ ବାଇକ୍‌ରେ ଡେଙ୍ଗୁଳା ଗ୍ରାମକୁ ଯାଉଥିବା ବେଳେ ବାଲିଯୋଡ଼ି ନିକଟରେ କୌଣସି ଗାଡି ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅଜୟଙ୍କ ମୃତ୍ୟୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଛି  । କୋଇଡ଼ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଧକ୍କା ଦେଇଥିବା ଗାଡ଼ି ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଏକ ମାସ ମଧ୍ୟରେ ଏଭଳି ସଡ଼କ ଦୁର୍ଘଟଣାରେ କୋଇଡ଼ା ଅଞ୍ଚଳରେ ଆଠ ଜଣଙ୍କ ଜୀବନ ଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply