ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା

ପୁରୀ : ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା  । ପୁରୀ ସମୀକ୍ଷା ବୈଠକରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ଦିନ ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ୨ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଜୁଲାଇ ୭ ଏବଂ ୮ ତାରିଖକୁ  ସରକାରୀ ଛୁଟି ଘୋଷଣା କରାଯାଇଛି ।

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି । ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ନୂଆ ସରକାରରେ ଏଭଳି ସୁଯୋଗ ଆସିବା ଆମର ଭାଗ୍ୟ । ଚଳିତବର୍ଷ ୨ ଦିନରେ ରଥଯାତ୍ରା ସମାପନ ହେବ । ତେଣୁ ସରକାରୀ ସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ରଥଯାତ୍ରା ଯେପରି ସୁରୁଖୁରରେ ସମାପନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ ଗୌରବର କଥା । ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।