ଲୋକସଭାରେ ‘ମହାରାଷ୍ଟ୍ର’ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି, ୨ ସାଂସଦ ନିଲମ୍ୱିତ

ନୂଆଦିଲ୍ଲୀ : ରାତି ଅଧରେ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି । ଏଭଳି ସ୍ଥିତିରେ କିଛି ପଚାରିବାର ନାହିଁ । ଆଜି ଲୋକସଭାରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରବଳ ହୋ ହଲ୍ଲା ଓ ପାଟିତୁଣ୍ଡ ଆରମ୍ଭ କରିଥିଲେ କଂଗ୍ରେସ ସାଂସଦ । ମହାରାଷ୍ଟ୍ରରେ ଅନୈତିକ ଉପାୟରେ ବିଜେପି ସରକାର ଗଠନ କରିଛି । ସେଠାରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଦଳୀୟ ନେତା ଅଭିଯୋଗ କରିଛନ୍ତି ।

ପୂର୍ବାହ୍ନରେ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ରାଲି ସଂସଦ ଭବନରୁ ବାହାରିଥିଲା । ଏଥିରେ ସମସ୍ତ ୟୁପିଏ ସହଯୋଗୀ ଦଳ ଯୋଗ ଦେଇଥିଲେ । ଘୋଡ଼ା ବେପାର ବନ୍ଦ କରିବା ସହ ସମ୍ୱିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି କରି ଗୃହକୁ ପ୍ରବେଶ କରିଥିଲେ କଂଗ୍ରେସ ସାଂସଦ । ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଶ୍ଲୋଗାନ୍ ଧରି ନାରାବାଜି କରିଥିଲେ କଂଗ୍ରେସ ନେତା । ଏହାକୁ ନେଇ ଖୁବ୍ ବିରକ୍ତ ହୋଇଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୨ ଜଣ କଂଗ୍ରେସ ସାଂସଦ ହିବି ଇଡେନ୍ ଏବଂ ଟି.ଏନ୍ ପ୍ରତାପନଙ୍କୁ ନିଲମ୍ବନ କରାଯାଇଛି ।

ସମ୍ୱିଧାନ ବଞ୍ଚାଅ ନାରା ଦେଉଥିବା କଂଗ୍ରେସ ମଧ୍ୟ ଅନ୍ୟ ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଛି । ଦଳର ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, କଂଗ୍ରେସର ମହିଳା ସାଂସଦଙ୍କୁ ଦୁର୍ବବ୍ୟବହାର କରାଯାଇଛି । ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଦିନ ତମାମ ଗୃହରେ ପ୍ରବଳ ହଟ୍ଟଗୋଳ ଲାଗି ରହିବାରୁ ସଂସଦକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି । ରାଜ୍ୟସଭା୍ରେ ମଧ୍ୟ କଂଗ୍ରେସ ନେତାଙ୍କର ହୋ ହଲ୍ଲା ପାଟି ତୁଣ୍ଡ ଦେଖିବାକୁ ମିଳିଥିଲା ।

Leave a Reply