ବଲିଉଡକୁ ଗ୍ରହଣ : ୨୨ ଘଣ୍ଟା ମଧ୍ୟରେ କ୍ୟାନ୍ସର ନେଲା ଦୁଇ ଜୀବନ

1 min read

ମୁମ୍ବାଇ: ଲଗାତାର ଦୁଇ ଦିନ ହେବ ସକାଳେ ବଲିଉଡ ଜଗତରୁ ଦୁଃଖଦ ଖବର ଶୁଣିବାକୁ ମିଳିଛି । ଗତ କାଲି ଇରଫାନ ଖାନଙ୍କ ପରଲୋକ ପରେ ଆଜି ଋଷି କପୁର ଦୁନିଆ ଛାଡି ଚାଲିଯାଇଛନ୍ତି । ଏହି ଖବର ଉଭୟ ବଲିଉଡ ଓ ପ୍ରଶଂସକମାନଙ୍କ ପାଇଁ  ବଡ ଝଟକା ଥିଲା । ଆଜି ବଲିଉଡର ଜଣାଶୁଣା ସେଲିବ୍ରିଟି ତଥା ଡଫଲିବାଲା ଆମ ସମସ୍ତଙ୍କୁ ଅଲବିଦା କହି ବିଦାୟ ନେଇଛନ୍ତି । ଗତ କାଲି ବଲିଉଡର ଅତୁଳନୀୟ ଅଭିନେତା ଇରଫାନଙ୍କର ନିଧନ ହୋଇଥିଲା । କ୍ୟାନସର ରୋଗ ସହିତ ଦୀର୍ଘ ଦିନ ଯୁଦ୍ଧ କରୁଥିବାବେଳେ ଉଭୟ କଳାକାର ଜୀବନର ଯୁଦ୍ଧରେ ହାରି ଯାଇଥିଲେ । ଦୁଇ ଦିନ ମଧ୍ୟରେ ବଲିଉଡର ଦୁଇ ଜଣ ପ୍ରତିଷ୍ଠିତ କଳାକାରଙ୍କୁ ହରାଇଛି । ତେବେ ବଲିଉଡ ପାଇଁ ଏହା ଯେ ଏକ ବଡ କ୍ଷତି ତାହା କହିଲେ କିଛି ଭୁଲ ହେବ ନାହିଁ ।

ଋଷି କପୁର ଜଣେ ଏମିତି ଅଭିନେତା ଥିଲେ ଯିଏ ସବୁବେଳେ ଖୁସିରେ ରହିବା ବିଶ୍ୱାସ ରଖିଥିଲେ । ଋଷି କପୁର ୧୯୫୨ ମସିହା ସେପ୍‌ଟେମ୍ବର ୪ ତାରିଖରେ ଜନ୍ମ ହୋଇଥିଲେ । ମାତ୍ର ୩ ବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ୩ ବର୍ଷ ବୟସରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୧୯୫୫ ମସିହାରେ ଶିଶୁ କଳାକାର ଭାବେ ସେ ତାଙ୍କ ବାପା ରାଜ କପୁରଙ୍କ ଫଲ୍ମ ଶ୍ରୀ-୪୨୦ରେ ଅଭିନୟ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବେ ସେ ‘ମେରା ନାମ୍‌ ଜୋକର’ରେ ୧୯୭୦ ମସିହାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ୧୯୭୩ ମସିହାରେ ଋଷି କପୁର ମୁଖ୍ୟ ଭୂମିକାରେ ଫିଲ୍ମ ‘ବବି’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ପୁରସ୍କାର ପାଇଥିଲେ । ଏହାପରଠୁ ସେ କେବେ ଆଉ ପଛକୁ ଫେରି ଦେଖିନଥିଲେ ।  ଜାରି ରହିଥିଲା ତାଙ୍କ ଅଭିନୟର ଯାତ୍ରା ।  ତାଙ୍କ ଅଭିନୀତ ଶେଷ ଫିଲ୍ମ ହେଉଛି ‘ଶର୍ମାଜୀ ନମକିନ’ । ଯାହାକି  ଏବେ ନିର୍ମାଣାଧୀନ ଅଛି । ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିବା ସହିତ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ । ୬୭ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଯେଉଁଥିପାଇଁ ସମଗ୍ର ଦେଶ ଏବେ ଶୋକ ପାଳୁଛି ।

ଠିକ ସେହିଭଳି ଗତ କାଲି ଲିଜେଣ୍ଡାରି ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା । ୧୯୬୭ ମସିହା ଜାନୁଆରୀ ମାସ ୭ ତାରିଖ ରାଜସ୍ଥାନରେ ଜନ୍ମ ହୋଇଥିଲେ ଇର୍‌ଫାନ୍‌ । ଦିଲ୍ଲୀ ସ୍କୁଲ ଅଫ୍‌ ଡ୍ରାମାରୁ ଶିକ୍ଷାଗ୍ରହଣ ପରେ ୮୦ ଦଶକରେ ସେ ମୁମ୍ବାଇ ଆସିଥିଲେ । ‘ଚାଣକ୍ୟ’, ‘ବନେଗୀ ଆପ୍‌କୀ ବାତ୍‌’, ‘ଭାରତ ଏକ୍‌ ଖୋଜ୍‌’, ‘ଚନ୍ଦ୍ରକାନ୍ତା’ ଭଳି ‘ ଟିଭି ଧାରାବାହିକରୁ ଇର୍‌ଫାନ୍‌ ଖାନ୍‌ଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ତେବେ ୧୯୮୮ ମସିହାରେ ସେ ମୀରା ନାୟାରଙ୍କ ସଲାମ୍ ବମ୍ବେ ରେ ଅଭିନୟ କରି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ଦର୍ଶକଙ୍କୁ ସେ ଗୋଟେ ପରେ ଗୋଟେ ଗୋଟିଏ ପରେ ଗୋଟିଏ ଐତିହାସିକ ଫିଲ୍ମ ଭେଟି ଦେଇଥିଲେ । “ହାସିଲ”, ‘ମକ୍‌ବୁଲ’, ‘ପିକୁ’ରେ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିବା ଇରଫାନ୍‌ ‘ପାନ୍‌ ସିଂ ତୋମର’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହାଛଡ଼ା ‘ସ୍ଲମ୍‌ ଡଗ ମିଲୋନେୟାର’, ‘ଲାଇଫ୍‌ ଅଫ୍‌ ପାଇ’ରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଥିଲା। ୫୪ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ ।

 

 

 

Leave a Reply