ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ନବରଙ୍ଗପୁର: ନକଲି ସୁନାଶଙ୍ଖ କାରବାର କରିବା ପଡ଼ିଲା ମହଙ୍ଗା । ନବରଙ୍ଗପୁରରୁ ଯୁବକଙ୍କୁ ଉଠାଇ ମଧ୍ୟପ୍ରଦେଶ ନେଇଗଲେ ଭଣ୍ଡବାବା । ତଦନ୍ତ କରି ଯୁବକଙ୍କୁ ଉଦ୍ଧାର କଲା ମଇଦଲପୁର ଥାନା ପୋଲିସ । ଉଦ୍ଧାର ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ରବିନ୍ଦ୍ର ମିର୍ଗାନ । ପୋଲିସ ସୂଚନା ଅନୁସାରେ ୨ଲକ୍ଷ ଟଙ୍କାରେ ସୁନା ଶଙ୍ଖ ଦେବାର ଲୋଭ ଦେଖାଇ ମଧ୍ୟପ୍ରଦେଶର କିଛି ବ୍ୟକ୍ତିଙ୍କଠାରୁ ଅଗ୍ରୀମ ବାବଦକୁ ୪୦ହଜାର ଟଙ୍କା ଆଣିଥିଲେ ରବିନ୍ଦ୍ର । ସେମାନଙ୍କୁ ଏକ ଶଙ୍ଖର ନମୂନା ମଧ୍ୟ ଦେଖାଇଥିଲେ ।

ପରେ କମ ଦାମରେ ସୁନା ଶଙ୍ଖ ପାଇବା ଆଶାରେ ବାରମ୍ବାର ନବରଙ୍ଗପୁର ଆସୁଥିଲେ ଅଗ୍ରୀମ ଦେଇଥିବା ବ୍ୟକ୍ତି । ଶେଷରେ ରବିନ୍ଦ୍ର ଏକ ନକଲି ସୁନାଶଙ୍ଖ ପ୍ରଦାନ କରିଥିଲେ । ଏହାର ଯାଞ୍ଚ କରି ନକଲି ବୋଲି ଜାଣିବାକୁ ପାଇବା ପରେ ରବିନ୍ଦ୍ରଙ୍କୁ ଉଠାଇନେଇଥିଲେ ଅଭିଯୁକ୍ତ । ମଧ୍ୟପ୍ରଦେଶରେ ଏକ ଘରେ ବନ୍ଦୀ କରି ରଖିବା ସହିତ ପରିବାର ଲୋକଙ୍କଠାରୁ ୬ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ସ୍ବତନ୍ତ୍ର ଟିମ୍ ଗଠନ କରି ରବିନ୍ଦ୍ରଙ୍କୁ ଉଦ୍ଧାର କରିଛି ପୋଲିସ ।

ମାମଲାରେ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଥିରେ ଜଣେ ଭଣ୍ଡ ବାବାଥିବା ସୂଚନା ମିଳିଛି । ନକଲି ସୁନା କାରବାରକୁ ରବିନ୍ଦ୍ର ଖଣ୍ଡନ କରିଥିବାବେଳେ ବାବା ଜଣଙ୍କ ନିର୍ଯାତନା ଦେବା ସହିତ କିଡନୀ ବିକ୍ରି କରିଦେବାକୁ ଧମକ ଦେଉଥିବା ଅଭିଯୋଦଗ କରିଛନ୍ତି । ସେପଟେ ସୁନା ଶଙ୍ଖ କାରବାରକୁ ସ୍ବୀକାର କରିଛନ୍ତି ଅଭିଯୁକ୍ତ ଭଣ୍ଡବାବା । ପୋଲିସ ବିଭିନ୍ନ ଦିଗରକୁ ମାମଲାର ତଦନ୍ତ ଜାରି ରଖିଛି ।