ରାଜ୍ୟରେ ୨୫ ଲକ୍ଷରୁ ଅଧିକ ପିଲା ନେବେ ଟିକା

ଭୁବନେଶ୍ବର: ୧୫ରୁ ୧୮ ବର୍ଷର ପିଲାଙ୍କୁ ଜାନୁଆରୀ ୩ ତାରିଖରୁ ଦେଶରେ ଆରମ୍ଭ ହେବ ଟିକାକରଣ । ଓଡ଼ିଶାରେ ଏହି ବର୍ଗରେ ୨୫ ଲକ୍ଷ ୫୩ ହଜାର ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ଦିଆଯିବ ପ୍ରିକସନ ଡୋଜ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ପ୍ରିକେସନ ଡୋଜ ଦିଆଯିବ । ରାଜ୍ୟରେ ଥିବା ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ । ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ । ଅନୁମତି ପାଇଥିବା ଦୁଇଟି ଟିକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶୀକା ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି ବୁଷ୍ଟର ଡୋଜ୍ ମଧ୍ୟ ସେହି ଟିକାର ନେବେ । ବର୍ତ୍ତମାନ ୨୬୦୦ ସେସନ ସାଇଟରେ ଟିକାକରଣ ଚାଲିଛି । ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ବୁଲି ଟିକାକରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି ।

Leave a Reply