ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୩.୯୭ ପ୍ରତିଶତ ମତଦାନ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ସରିବା ପରେ ଏବେ ଷ୍ଟ୍ରଙ୍ଗରୁମରେ ଇଭିଏମ୍। ମତଦାନ କେନ୍ଦ୍ରରୁ ଇଭିଏମ ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ରହିଛି। ୭୩.୯୭ ପ୍ରତିଶତ ରହିଛି ଭୋଟହାର।

ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ପ୍ରତିଶତ ଭୋଟ ହୋଇଛି। କୋରାପୁଟରେ ୭୬.୯୮ପ୍ରତିଶତ, କଳାହାଣ୍ଡିରେ ୭୫.୭୧ ପ୍ରତିଶତ ଓ ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ନୂଆପଡ଼ାରେ ୭୩.୮୭ ପ୍ରତିଶତ, ଭବାନୀପାଟଣାରେ ୭୩.୮୦ ପ୍ରତିଶତ, ବିଷମକଟକରେ ୭୭.୯୩ ପ୍ରତିଶତ ଭୋଟ ହୋଇଛି। ସେହିଭଳି ଛତ୍ରପୁରରେ ୬୩.୨୦ ପ୍ରତିଶତ, ଚିକିଟିରେ ୬୩.୨୧ ପ୍ରତିଶତ, ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ ଭୋଟିଂ ହୋଇଛି। ଡାବୁଗାଁରେ ୮୫.୨୦ ପ୍ରତିଶତ, ଧର୍ମଗଡ଼ରେ ୭୮.୮୫ ପ୍ରତିଶତ, ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ, ଗୋପାଳପୁରରେ ୬୦.୪୧ପ୍ରତିଶତ ମତଦାନ ରହିଛି। ଗୁଣପୁରରେ ୭୨.୫୩ ପ୍ରତିଶତ, ଜୟପୁରରେ ୭୭.୪୮ ପ୍ରତିଶତ, ଝରିଗାଁରେ ୮୪.୨୨ ପ୍ରତିଶତ , ଜୁନାଗଡ଼ରେ ୭୮.୯୦ ପ୍ରତିଶତ ଭୋଟ ସଂଗ୍ରହ କରାଯାଇଛି। ସେହିଭଳି ଖରିଆରରେ ୭୬ ପ୍ରତିଶତ, କୋରାପୁଟରେ ୭୬.୨୮ ପ୍ରତିଶତ ମତଦାନ ହୋଇଛି। କୋଟପାଡ଼ରେ ୮୩.୯୨ ପ୍ରତିଶତ, ଲକ୍ଷ୍ମୀପୁରରେ ୮୧.୭୧ ପ୍ରତିଶତ, ମାଲକାନଗିରିରେ ୬୬.୬୦ ପ୍ରତିଶତ ଭୋଟିଂ ହୋଇଛି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଓ ୬୬ ପ୍ଲାଟୁନ ଆର୍ମଡ ପୋଲିସ ମୁତୟନ କରାଯାଇଥିଲା। ଜୁନ ୪ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। ୭ ହଜାର ୩୦୩ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ମତଦାନ ସାବ୍ଯସ୍ତ କରିଥିଲେ ଜନତା। ଭୋଟିଂ ପାଇଁ ମହିଳା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏକ ହଜାର ୨୭୬ ଆଦର୍ଶ ବୁଥରେ ଭୋଟ ଦେଇ ଉତ୍ସାହିତ ଥିଲେ ଭୋଟର। ଜନତାଙ୍କ ସହ ଲାଇନରେ ରହି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିଲେ ପ୍ରାର୍ଥୀ ଓ ନେତା । ନିଜ ନିଜ ନିର୍ବାଚନମଣ୍ଡଳିରେ ପରିବାର ସହ ଭୋଟ ଦେଇ ମତାଧିକାର ସାବ୍ଯସ୍ତ କରିଛନ୍ତି। ଏହି ପର୍ଯ୍ଯାୟରେ ଲୋକସଭା ଆସନ ପାଇଁ କୋରାପୁଟରୁ ୧୧ ଜଣ, ନବରଙ୍ଗପୁରରୁ ୪, କଳାହାଣ୍ଡିରୁ ୧୧, ବ୍ରହ୍ମପୁରରୁ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ଯ ଇଭିଏମରେ ସିଲ୍ ହୋଇଛି ।