spot_img

Latest Posts

ପ୍ରମୋଦଙ୍କୁ ମିଳିଲା ଖେଳରତ୍ନ; ବିରେନ୍ଦ୍ର ଓ ଅମିତଙ୍କୁ ଅର୍ଜୁନ ଆଓ୍ବାର୍ଡ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ଖେଳରତ୍ନ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦେଶର ସର୍ବଶ୍ରେଷ୍ଠ କ୍ରୀଡାବିତଙ୍କୁ ମିଳିଛି ଖେଳରତ୍ନ ପୁରସ୍କାର । ତେବେ କ୍ରୀଡାକ୍ଷେତ୍ରରେ ଏହି ସର୍ବୋଚ୍ଚ ପୁରସ୍କାର ଗ୍ରହଣ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଟୋକିଓ ପାରା ଅଲମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମିଳିଛି ଖେଳରତ୍ନ । ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତିଥିଲେ ପ୍ରମୋଦ । ଯାହା ଫଳରେ ତାଙ୍କୁ ଆଜି ମିଳିଛି ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ପ୍ରମୋଦଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଏହି ପୁରସ୍କାର ପାଇବାରେ ପ୍ରଥମ ଓଡ଼ିଆ ଅଟନ୍ତି ପ୍ରମୋଦ । ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ ପାଇଁ ଏହା ପୂର୍ବରୁ ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ।

ପ୍ରମୋଦଙ୍କ ବ୍ୟତୀତ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବା ହକି ଦଳର ଦୁଇ ଓଡ଼ିଆଙ୍କୁ ବି ଆଜି ମିଳିଛି ଅର୍ଜୁନ ପୁରସ୍କାର । ଦୁଇ ଓଡ଼ିଆ ପୁଅ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ଚଳିତ ଟୋକଓ ଅଲମ୍ପିକ୍ସରେ ଭରତୀୟ ହକି ଦଳ ୪୧ ବର୍ଷ ପରେ ପଦକ ହାସଲ କରିଥିଲା । ଭାରତକୁ ପଦକ ବିଜେତା କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ । ଏହି ଦୁଇ ଓଡ଼ିଆ ପୁଅଙ୍କ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ ପାଇଁ ଆଜି ତାଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ଏହି ଦୁଇ ଓଡ଼ିଆଙ୍କ ବ୍ୟତୀତ ବିଭିନ୍ନ କ୍ରୀଡାକ୍ଷେତ୍ରରୁ ମୋଟ ୩୫ ଜଣ କ୍ରୀଡାବିତଙ୍କୁ ମିଳିଛି ଅର୍ଜୁନ ଆଓ୍ବାର୍ଡ ।

ସେହିପରି ଭାବରେ କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇ ୧୨ ଜଣଙ୍କୁ ମିଳିଛି ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ । ଟୋକିଓ ଅଲମ୍ପିକ୍ସରେ ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କୁ ରାଷ୍ଟ୍ରପତି ପ୍ରଦାନ କରିଥିଲେ ଖେଳରତ୍ନ ପୁରସ୍କାର । ନୀରଜଙ୍କ ବ୍ୟତୀତ  ରବି ଦାହିଆ (କୁସ୍ତି), ଲଭଲିନା ବୋରଗେହେନ (ବକ୍ସିଂ), ଅବନୀ ଲେଖରା (ପାରା ସୁଟିଂ), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ), ସୁମିତ ଆଣ୍ଟିଲ (ଜାଭେଲିନ ଥ୍ରୋ), ମନୀଷ ନରଓ୍ବାଲ (ପାରା ଶୁଟିଂ), କ୍ରିଷ୍ଣା ନାଗର (ପାରା ବ୍ୟାଡମିଣ୍ଟନ), ମନପ୍ରୀତ ସିଂ (ହକି), ପିଆର ଶ୍ରୀଜେଶ (ହକି), ସୁନୀଲ ଛେତ୍ରୀ (ଫୁଟବଲ), ମିତାଲି ରାଜ (କ୍ରିକେଟ)ଙ୍କୁ ଆଜି ପ୍ରଦାନ କରାଯାଇଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ।

Latest Posts

Don't Miss