କାମ ଆରମ୍ଭ କଲେ ଭୁବନେଶ୍ବର ମେୟର ଏବଂ ଡେପୁଟି ମେୟର

1 min read

ଭୁବନେଶ୍ବର: ଦାୟିତ୍ବ ଗ୍ରହଣ ପରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଡେପୁଟି ମେୟର ମଞ୍ଜୁଲତା କହଁର ଆଜି ପ୍ରଥମ କରି କାର୍ଯ୍ୟାଳୟକୁ ଆସି କାମ ଆରମ୍ଭ କରିଛନ୍ତି । ଏହି ଅବସରରେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ବିଏମସିର ଅଧିକାରୀ ଓ କର୍ମଚାରୀ । ଏହାସହ ଟ୍ରାନ୍ସଜେଣ୍ଡର ୱେଲଫେୟାର ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଲେ ।

କିନ୍ନରଙ୍କୁ ବିଏମସିରେ ପାର୍କିଂ ଫି ଓ ହୋଲ୍ଡିଂ ଟାକ୍ସ ଆଦାୟ କରିବାକୁ ସୁଯୋଗ ଦେଇ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି । ଆଗକୁ ଆହୁରି ଅଧିକ ସୁଯୋଗ ଦିଆଯିବ । ପାର୍କିଂ ଫି ଆଦାୟରେ ନିୟୋଜିତ କିନ୍ନରଙ୍କର ୟୁନିଫର୍ମ ରହିଲେ ସେମାନଙ୍କ ସମ୍ମାନ ବଢିବ ବୋଲି କହିଛନ୍ତି ସୁଲୋଚନା । ଏହାସହ କିନ୍ନରଙ୍କୁ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି ମେୟର ।

ପ୍ରଥମ ଦିନରେ ମେୟର ସୁଲୋଚନା ଦାସ ବିଏମସିର ସମ୍ମିଳନୀ କକ୍ଷରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ସ୍ବତନ୍ତ୍ର ଆଲୋଚନା କରି ଭୁବନେଶ୍ବରର ବିଭିନ୍ନ ସମସ୍ୟା ବୁଝି ସେଗୁଡିକର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ସେହିଭଳି ଦାୟିତ୍ବ ଗ୍ରହଣ ପରେ ମଳ ପରିଚାଳନା ପ୍ଲାଣ୍ଟ ଓ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରି ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖରାକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ସମସ୍ତ ୱାଟର ATM ଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।