‘ସକାଳ’ର ପ୍ରଥମ ଜନ୍ମବାର୍ଷିକୀ, ‘ଖବରକାଗଜ ଭିନ୍ନମତକୁ ସମ୍ମାନ ଦେଉ’

ଭୁବନେଶ୍ୱର: ଖବରକାଗଜଟିଏ ଖବର ପରିବେଷଶ ଶୈଳୀକୁ ନେଇ ପାଠକ ମନରେ ଉନ୍ମାଦନା ସୃଷ୍ଟି କରେ । ଯଦି ଗୋଟିଏ ସମ୍ବାଦପତ୍ର ‘ଭିନ୍ନମତ’କୁ ସମ୍ମାନ ଦିଏ, ତେବେ ତାର ଭବିଷ୍ୟତ ବେଶ୍ ଉଜ୍ୱଳ । କାହା ମାଲିକାନାରେ ଖବରକାଗଜ ପ୍ରକାଶିତ ହେଉଛି ତାହା ବଡ଼ ନୁହେଁ । ଯଦି ଖବରରରେ ତଥ୍ୟ ଓ ନିରପେକ୍ଷତା ଥିବ ତେବେ ତାହା ଗ୍ରହଣୀୟ ହେବ । ଏହା କହିଛନ୍ତି ଦେଶର ବିଶିଷ୍ଟ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା ।

1st Anniversary Of Odia Daily Sakala News Paper (2)

ଦୈନିକ ଖବରକାଗଜ ‘ସକାଳ’ର ପ୍ରଥମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଗୁପ୍ତା କହିଲେ, ଏବେ ଓଡ଼ିଶାକୁ ଶାସନ କରୁଥିବା ବିଜେଡି ବେଶ୍ ଶକ୍ତିଶାଳୀ । ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦଳ । ଲୋକସଭା ଆସନ ଦୃଷ୍ଟିରୁ କର୍ଣ୍ଣାଟକ ସହିତ ଓଡ଼ିଶା ପ୍ରାୟ ସମାନ । ଏଠାରେ ଗୋଟିଏ ଦଳ ବିଜେଡିର ରାଜନୈତିକ ପ୍ରଭାବ ରହିଛି । ଲୋକସଭାରେ ଦୁଇ ଅଙ୍କ ବିଶିଷ୍ଟ ପ୍ରତିନିଧି ରହିଛନ୍ତି । ଏହି ଦୃଷ୍ଟିରୁ ଜାତୀୟ ରାଜନୀତିରେ ବିଜେଡିର ଗୁରୁତ୍ୱ ରହିଛି । ସେ କହିଲେ, ଓଡ଼ିଶା ବାବଦରେ ସମସ୍ତଙ୍କୁ ଜାଣିବାର ଆବଶ୍ୟକତା ରହିଛି । ଏହା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠି ସରକାର ଭଲ କାମ କରୁଛନ୍ତି । ବାତ୍ୟା ଆସିବା ମାତ୍ରେ ଜାତୀୟ ଗଣମାଧ୍ୟମର ଫୋକସ୍ ଓଡ଼ିଶା ଆଡ଼କୁ ଢ଼ଳେ । ବାତ୍ୟା ମୁକାବିଲାରେ ଓଡ଼ିଶା ପୂର୍ଣ୍ଣ ସଫଳ ହେବା ବଡ଼ କଥା । ଏହା କେବଳ ନବୀନ ବାବୁଙ୍କ ସଫଳ ନେତୃତ୍ୱରୁ ହୋଇପାରିଛି । ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇ ସେ କହିଥିଲେ, ବିଜୁ ହେଉଛନ୍ତି  ଜାତୀୟସ୍ତରର ନେତା । ରାଷ୍ଟ୍ର ବିକାଶ ପାଇଁ ସେ ଅନେକ କିଛି କରିଛନ୍ତି ।

1st Anniversary Of Odia Daily Sakala News Paper (2)

ଅନ୍ୟତମ ଅତିଥି ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଲେ, ଖବରକାଗଜ ଉପରେ ପାଠକଙ୍କର ବଡ଼ ଭରସା । ଏ ବିଶ୍ୱାସ ଅତୁଟ ରଖିବାକୁ ଗୁଣାତ୍ମକ ମାନ, ସୃଜନଶୀଳତା, ଖବର ଲେଖିବାର ଶୈଳୀ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଗୋଟିଏ ସମ୍ବାଦପତ୍ରର ବ୍ରାଣ୍ଡ ଭାଲ୍ୟୁ ହିଁ ଅଧିକରୁ ଅଧିକ ଲୋକଙ୍କୁ ନିଜ ସହ ଯୋଡ଼େ । ମାନବ ସମ୍ବଳ ହେଉଛି ଖବରକାଗଜର ଆତ୍ମା । ତେଣୁ ସେମାନଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ହେବା ଦରକାର ।

1st Anniversary Of Odia Daily Sakala News Paper (2)

ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସାମିଲ ହେବା ସହ ଶ୍ରୀ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ’ସକାଳ’ ସମ୍ପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ ଓ କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ ଯୋଗ ଦେଇ ’ସକାଳ’ ଓଡ଼ିଶାର ଜନଜୀବନ ସହ ଯୋଡ଼ି ହୋଇ ରହିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

1st Anniversary Of Odia Daily Sakala News Paper (2)

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବୈଜ୍ଞାନିକ ଜ୍ଞାନଦେବ ମହାରଣା ଏବଂ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସକାଳ’ର ସ୍ୱତନ୍ତ୍ର ସ୍ୱନକ୍ଷତ୍ର ବିଶେଷାଙ୍କ ’ସୃଷ୍ଟି’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ସଚିବ ବିଷ୍ଣୁପଦ ସେଠୀ, ‘ନନ୍ଦିଘୋଷ ଟିଭି’ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସିଓଓ ଜବର ସିଂହ ପନୱର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ‘ସକାଳ’ର ପ୍ରକାଶକ ଅମିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ‘ସକାଳ’ର ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ବ୍ୟୁରୋ ମୁଖ୍ୟ ରଞ୍ଜିତ କୁମାର ମହାନ୍ତି ଯୋଗ ଦେଇଥିଲେ । ‘ସକାଳ’ ପରିବାରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave a Reply