ଦାୟିତ୍ୱ ନେବେ ନୂଆ ଡିଜିପି, ସାଇବର ଅପରାଧ ନିୟନ୍ତ୍ରଣରୁ ମହିଳା ସୁରକ୍ଷା ଯାଏଁ ଭରପୁର ରହିଛି ଚ୍ୟାଲେଞ୍ଜ

1 min read

ଭୁବନେଶ୍ୱର : (ଅରୁଣ କୁମାର ସାହୁ)  ଓଡ଼ିଶା ପୋଲିସର ମୁଖ୍ୟ ତଥା ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ଶ୍ରୀ ଅଭୟ ।  ମହିଳା ଓ ଶିଶୁଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା, ସାଇବର ଅପରାଧ, ବେଆଇନ୍ ନିଶା ଓ ବନ୍ଧୁକ କାରବାର, ମାଓବାଦୀ ଦମନ ଭଳି ଅନେକ ପ୍ରସଙ୍ଗ ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ଏ ସବୁ ଭିତରେ ନୂଆ ପୋଲିସ୍‌ ଡିଜିଙ୍କ ପାଇଁ କଣ ବଡ଼ ଚାଲେଞ୍ଜ ରହିଛି ସେ ଉପରେ ନଜରପକାଇବା ।

୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ଅଭୟ

ଚ୍ୟାଲେଞ୍ଜ ନମ୍ବର-୧: ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା । ଦୁଷ୍କର୍ମ ଓ ନାରୀ ନିର୍ଯାତନା ରୋକିବା ବଡ଼ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୨: ସୋସିଆଲ ମିଡିଆ ଗୁଜବରୁ ଟେନସନ । ବିଭିନ୍ନ ପ୍ରସଙ୍ଗ ସୋସିଆଲ ମିଡଆରେ ଆସି ସମାଜ ଉପରେ ବଡ଼ ପ୍ରଭାବ ପକାଉଛି । ଯାହା ଫଳରେ ଦଙ୍ଗା ଭଳି ପରିସ୍ଥିତି ମଧ୍ୟ ଉପୁଜି ଥାଏ । ଏହାକୁ ରୋକିବା ଏକ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୩ : ମାଓ ଦମନ । ପୂର୍ବାପେକ୍ଷା ଓଡ଼ିଶାରେ ମାଓ ହିଂସା କମିଛି । ତେବେ ଆଗକୁ ନୂଆ ରଣନୀତି, ପଡ଼ୋଶୀ ରାଜ୍ୟ ସହ ଉତ୍ତମ ସମନ୍ୱୟ ଓ ଗୁଇନ୍ଦା ତଥ୍ୟ ଆଦାନପ୍ର ଦାନ କରି ମାଓ ଅପରେସନ ଡିଜିଙ୍କ ପାଇଁ ରହିବ ଟପ୍‌ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୪: ନିଶା ଓ ବନ୍ଧୁକ କାରବାର । ଓଡ଼ିଶାରେ ଚାଲିଛି ବେଆଇନ ନିଶା କାରବାର । ବ୍ରାଉନସୁଗାର ବେପାର କାୟା ମେଲୁଛି । ଗଞ୍ଜେଇ ଚାଷ ସାଙ୍ଗକୁ ନିଶା କାରବାର ଓ ବନ୍ଧୁକ କାରବାର ଉପରେ ରୋକ୍‌ ଲଗାଇବା ରହିବ ଏକ ପ୍ରମୁଖ ଚ୍ୟାଲେଞ୍ଜ । ଡେପୁଟେସନରେ ଥିବା ବେଳେ ଶ୍ରୀ ଅଭୟ ନାକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ଦାୟିତ୍ୱରେ ଥିଲେ । ତେଣୁ ଏସବୁର ମୁକାବିଲା ତାଙ୍କ ପାଇଁ ସହଜ ହୋଇପାରେ ।

ଚ୍ୟାଲେଞ୍ଜ ନମ୍ବର-୫:  ଆଇନଶୃଙ୍ଖଳା । ରାଲି, ଧରାଣା ସାଙ୍ଗକୁ ମୌଳିକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଥାନା ପୋଡ଼ା ଜଳା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ  । ଭିଭିଆଇପିଙ୍କ ଭିଜିଟ୍ ବେଳେ ସୁରକ୍ଷା ରହିବ ଆଉ ବଡ଼ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୬: ସାଇବର ଅପରାଧ । ନୂଆ ଧରଣର ସାଇବର କ୍ରାଇମ୍‌ ଟ୍ରେଣ୍ଡ ଓଡ଼ିଶାରେ ଦେଖିବାକୁ ମିଳୁଛି । ବାରମ୍ବାର ସଚେତନ କଲା ପରେ ବି ଲୋକ ଠକେଇର ଶିକାର ହେଉଛନ୍ତି । ଅନ୍ୟପଟେ ମୋ ସରକାର ଓ ୫-ଟି ଲାଗୁ ପରେ ଥାନା ସ୍ତରରେ ବ୍ୟାପକ ସ୍ୱଚ୍ଛତା ରକ୍ଷା, ଲୋକମାନେ ଉତ୍ତମ ସେବା ପାଇବା ସାଙ୍ଗକୁ ପୋଲିସର ଆଚରଣ ଓ ଉଚ୍ଚାରଣରେ କିଭଳି ଆହୁରି ପରିବର୍ତ୍ତନ ହେବ, ସେ ବି ନୂଆ ଡିଜିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିବ ।

ବରିଷ୍ଠ ଆଇପିଏସ ଶ୍ରୀ ଅଭୟ ପୂର୍ବରୁ ଓଡ଼ିଶାର ଗୁଇନ୍ଦା ନିର୍ଦ୍ଦେଶକ ରହିବା ସହ ବିଭିନ୍ନ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରୀୟ ଡେପୁଟସନରେ ଥିବା ବେଳେ ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଓ ହାଇଦ୍ରାବ୍ରାଦସ୍ଥିତ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ଏସବୁରୁ ତାଙ୍କର ଢେର୍‌ ଅଭିଜ୍ଞତା ଥିବାରୁ ସେ ସବୁ ଚାଲେଞ୍ଜକୁ ସଫଳତାର ସହ ସାମ୍ନା କରି ପାରିବେ ବୋଲି ଆଶା ରହିଛି ।

Leave a Reply