ୱିଲ ସ୍ମିଥଙ୍କ ପତ୍ନୀଙ୍କୁ ଉପହାସ କରିବା କ୍ରିସଙ୍କୁ ମହଙ୍ଗା ପଡ଼ିଲା, ‘ଶୋ’ ମଝିରେ କ୍ରିସଙ୍କୁ ଚାପୁଡ଼ା ମାରିଲେ ସ୍ମିଥ୍

1 min read

ନୂଆଦିଲ୍ଲୀ: ୨୦୨୨ ଓସ୍କାର ଆୱାର୍ଡ ସମୟରେ ମଞ୍ଚ ଉପରେ ଅଭିନେତାଙ୍କୁ ଚାପୁଡ଼ା ମାରିଲେ ୱିଲ ସ୍ମିଥ୍ । ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କ୍ରିସ୍ ରକ୍  ମଞ୍ଚ ଉପରେ ଡକ୍ୟୁମେଣ୍ଟାରୀ ଫିଚର ପାଇଁ ଓସ୍କାର ଆୱାର୍ଡ ଦେବାକୁ ଆସିଥିଲେ  । ଆଉ ଏହି ସମୟରେ କ୍ରିସ, ସ୍ମିଥଙ୍କ ପତ୍ନୀଙ୍କ କେଶକୁ ନେଇ କମେଣ୍ଟ ମାରିଥିଲେ ଆଉ ଏହା ପରେ ସ୍ମିଥ୍ ରାଗି ଯାଇ ମଞ୍ଚ ଉପରକୁ ଆସି କ୍ରିସଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ ।

ସୂଚନା ଅନୁସାରେ, ଫିଲ୍ମ ‘ଜି. ଆଇ ଜେନ୍ ୨’କୁ ନେଇ କ୍ରିସ ରକ୍, ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଟ ସ୍ମିଥଙ୍କ ଚନ୍ଦା ପଣକୁ ନେଇ ଉପହାସ କରିଥିଲେ । ଜେଡାଙ୍କ ଚନ୍ଦା ପଣକୁ ନେଇ କମେଣ୍ଟ କରି କ୍ରିସ କହିଥିଲେ ଯେ, ଜେଡା ଚନ୍ଦା ହୋଇଥିବା କାରଣରୁ ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି ।

ତେବେ ଫିଲ୍ମ ‘ଜି. ଆଇ ଜେନ୍ ୨’ରେ ଜାଡେ ଚନ୍ଦା ଭାବେ ନଜର ଆସିଥିଲେ । ଯଦିଓ ସେ ଚନ୍ଦା ହେବାର କାରଣ ସେହି ଫିଲ୍ମ ନୁହେଁ ବରଂ ସେ ଚନ୍ଦା ହେବାର କାରଣ ହେଉଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା । ଦିର୍ଘଦିନ ଧରି ଜେଡ଼ା ‘ଆଲୋପେସିଆ’ ରୋଗରେ ଆକ୍ରନ୍ତ । ଆଉ ଏହି କାରଣରୁ ସେ ତାଙ୍କ କେଶକୁ କାଟି ଦେଇଛନ୍ତି । ଏମିତିରେ ଜେଡ଼ାଙ୍କୁ ସର୍ବସମ୍ମୁଖରେ ପରିହାସ କରିବା ସ୍ମିଥଙ୍କୁ ଆଦୌ ଭଲ ଲାଗି ନଥିଲା ଯାହା ପାଇଁ ସେ ବହୁତ କ୍ରୋଧିତ ହୋଇଯାଇଥିଲେ । ଆଉ ଏହା ପରେ ଶୋ’ ଚାଲିଥିବା ସମୟରେ ହିଁ ମଞ୍ଚକୁ ଆସି କ୍ରିସଙ୍କୁ ଚାପୁଡ଼ା ମାରିଥିଲେ ୱିଲ ସ୍ମିଥ୍ ।

ୱିଲ ସ୍ମିଥଙ୍କ ଠାରୁ ଚାପୁଡ଼ା ଖାଇବା ପରେ କିଛି ସମୟ ପାଇଁ ନିସ୍ତବ୍ଦ ହୋଇଯାଇଥିଲେ କ୍ରିସ ରକ୍ । ତା ପରେ ମଞ୍ଚରୁ ତଳକୁ ଆସି ସ୍ମିଥ୍ କ୍ରିସଙ୍କୁ ତାଙ୍କ ସ୍ତ୍ରୀ’ଙ୍କ ନାଁ ନ ଧରିବାକୁ ମଧ୍ୟ କହିଥିଲେ । ଆଉ ଏହାର ଉତ୍ତରରେ କ୍ରିସ କହିଥିଲେ ସେ ଆଉ ଏମିତି କରିବେ ନାହିଁ । ଆଉ ଏ ସମସ୍ତ ଘଟଣା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।