ହଙ୍ଗାମା ଓ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଗତକାଲି ଲୋକସଭା ଅଧ୍ୟକ୍ଷ ୪କଂଗ୍ରେସ ସାଂସଦଙ୍କୁ ଗୃହ ଭିତରେ ବିରୋଧ ପ୍ରଦର୍ଶନ କରୁଥିବାରୁ ନିଲମ୍ବିତ କରିଥିଲେ । ଆଜି ମଧ୍ୟ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦର ମୌସୁମୀ ଅଧିବେସନ ସମୟରେ ଗୃହର ୱେଲରେ ପ୍ରବେଶ କରିବା ଏବଂ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

୧୯ ସାଂସଦଙ୍କୁ ସପ୍ତାହ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ନିଲମ୍ବିତ କରାଯାଇଥିବା ସାଂସଦମାନଙ୍କ ମଧ୍ୟରେ ସୁଷ୍ମିତା ଦେବ, ଡା. ଶାନ୍ତନୁ ସେନ, ଡୋଲା ସେନ, ରହିମ ଏବଂ ଶିବଦାସାନ (ବାମଦଳ), କାନିମୋଝୀ (ଡିଏମକେ), ବିଏଲ ଯାଦବ (ଟିଆରଏସ) ଏବଂ ମହମ୍ମଦ ଅବଦୁଲ୍ଲା ସାମିଲ ଅଛନ୍ତି । ବିରୋଧୀ ସାଂସଦଙ୍କ ହଙ୍ଗାମା କାରଣରୁ ଉଚ୍ଚ ସଦନର କାର୍ଯ୍ୟବାହୀ ୨୦ ମିନିଟ ପାଇଁ ସ୍ଥଗିତ ରହିଥିଲା ।

ପ୍ରକାଶଯୋଗ୍ୟ, ଦରଦାମ ବୃଦ୍ଧି ଏବଂ ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ଲଗାଯିବାକୁ ନେଇ ବିରୋଧୀ ସାଂସଦମାନେ ଫ୍ଲାକାର୍ଡ ଧରି ସଂସଦର ଉଭୟ ଗୃହରେ ବିରୋଧ କରୁଛନ୍ତି । ସେମାନେ ଦାବି କରୁଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ଆସି ପ୍ରସଙ୍ଗ ଉପରେ ସେମାନଙ୍କ କଥା ଶୁଣନ୍ତୁ । ସଂସଦର ମୌସୁମୀ ଅଧିବେସନ ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା, ଲଗାତାର ସାଂସଦମାନଙ୍କ ବିରୋଧ କାରଣରୁ କାର୍ଯ୍ୟରେ ବାଧାପ୍ରାପ୍ତ ଘଟୁଛି ।