ଆଜିଠୁ ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ :  ଆଜିଠାରୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ। ସାଧାରଣ ନିର୍ବାଚନ ସହ ସରକାର ଗଠନ ପରେ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ। ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥଗ୍ରହଣ କରିବେ। ପିଏମ ମୋଦିଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ନୀତିନ ଗଡ଼କରି ଶପଥ ନେବେ। ଏହାପରେ ମନ୍ତ୍ରିପରିଷଦର ମୋଟ ୫୮ ମନ୍ତ୍ରୀ ଶପଥଗ୍ରହଣ କରିବେ। ମନ୍ତ୍ରି ପରିଷଦର ଅନ୍ୟ ୧୩ ମନ୍ତ୍ରୀ ରାଜ୍ୟସଭାରୁ ଅଛନ୍ତି। ସେହିପରି ମନ୍ତ୍ରୀ ହୋଇଥିବା ରବନୀତ ସିଂ ବିଟ୍ଟୁ କୌଣସି ଗୃହର ସଦସ୍ୟ ନାହାନ୍ତି।ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସମେତ ୨୮୦ ସାଂସଦ ଶପଥ ନେବେ। ଏଥିରେ ୨୫ ଜୁନରେ ବାକି ୨୬୪ ସାଂସଦ ଶପଥ ନେବେ।
ଏହାପରେ ଆସନ୍ତା ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ତଥା ୭ଥରର ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଭର୍ତ୍ତୃହରି ମହତାବ ସଂସଦ ଭବନରେ ପହଞ୍ଚି ସ୍ଵତନ୍ତ୍ର ଅଧିବେଶନର ଆରମ୍ଭ କରିବେ। ଏହାପରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକି ଶପଥ ପାଠ କରାଇବେ। ଏହାପରେ କାମଚଳା ବାଚସ୍ପତି ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ ପ୍ଯାନେଲକୁ ଶପଥ ପାଠ କରାଇବେ। ଏହି ପ୍ଯାନେଲ ସଂସଦ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରିବାରେ ବାଚସ୍ପତିଙ୍କୁ ସହାୟତା କରିବେ। ୨୭ ଜୁନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁନ ୨୮ରେ ସରକାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଆଲୋଚନା ହେବ। ସଂସଦର ଏହି ସ୍ଵତନ୍ତ୍ର ଅଧିବେଶନରେ କୌଣସି ଶୂନ୍ୟକାଳ କିମ୍ବା ପ୍ରଶ୍ନକାଳ ରହିବ ନାହିଁ।