ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରେ କେତେ ଲୋକ କିଣିଛନ୍ତି ଜମି ? ରାଜ୍ୟସଭାରେ ଉତ୍ତର ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ 

1 min read

ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୧୯ରୁ ଜାମ୍ମୁ କାଶ୍ମୀରରୁ ହଟିଛି ଧାରା ୩୭୦ ଓ ୩୫ ’A’ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫’A’ ହଟିବା ପରେ ବାହାରୁ କେତେ ଲୋକ ଜାମ୍ମୁ କାଶ୍ମୀରରେ ଏପର୍ଯ୍ୟନ୍ତ ଜମି କିଣିଛନ୍ତି ? ସଂସଦର ବଜେଟ ଅଧିବେଶନ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟସଭାରେ ଉଠିଥିଲା ଏହି ପ୍ରଶ୍ନ । ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୫ ଲୋକ, ଯେଉଁମାନେ କି ରାଜ୍ୟର ବାସିନ୍ଦା ନୁହଁନ୍ତି ସେମାନେ ଜାମ୍ମୁ କାଶ୍ମୀରରେ ଜମି କିଣିଛନ୍ତି । ଅର୍ଥାତ ଧାରା ୩୭୦ ହଟିବାର ଚାରି ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରର ଲୋକ ୧୮୫ଟି ଜମି ବାହାର ଲୋକଙ୍କୁ ବିକ୍ରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରୁ ଅଲଗା ହୋଇଥିବା ଲଦାଖରେ ଏପର୍ଯ୍ୟନ୍ତ କେହି ଜଣେ ବି ଜମି କିଣିନାହାନ୍ତି । ନିତ୍ୟାନନ୍ଦ ରାୟଙ୍କ ସୂଚନା ଅନୁସାରେ ୨୦୨୦ରେ ଜାମ୍ମୁ କାଶ୍ମୀରରେ ଜଣେ, ୨୦୨୧ରେ ୫୭ ଓ ୨୦୨୨ରେ ୧୨୭ ଜଣ ବାହାର ଲୋକ ଜମି କିଣିଛନ୍ତି । ଅର୍ଥାତ ୨୦୧୯ ଅଗଷ୍ଟ ୫ରୁ ଡିସେମ୍ବର ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଜମି କିଣିନଥିଲେ । ସେହିପରି ୨୦୨୩ ଜାନୁଆରୀରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କେତେ ବାହାର ଲୋକ ଜମି କିଣିଛନ୍ତି ତାହାର ତଥ୍ୟ ପ୍ରକାଶ କରାଯାଇନାହିଁ ।

ସୂଚନା ଅନୁସାରେ ୨୦୧୯ ମସିହା ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫’A’ ହଟାଯାଇଥିଲା । ଏହି ଦୁଇ ଧାରା ହଟିବା ପରେ ଜାମ୍ମୁ କାଶ୍ମୀରରୁ ଲଦାଖ ଅଲଗା ହୋଇ ଉଭୟଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା । ଧାରା ୩୭୦ ହଟିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ବର୍ତ୍ତମାନ ଜମ୍ମୁ କାଶ୍ମୀରର ମ୍ୟୁନିସିପାଲିଟି ଅଞ୍ଚଳରେ ଭାରତୀୟ ନାଗରିକ କୃଷି ଜମି ବ୍ୟତୀତ ଅନ୍ୟ ଜମି କିଣି ପାରିବେ ।

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏବେ ଜାମ୍ମୁ କାଶ୍ମୀରରେ ବହୁ ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ୧୫୫୯ ଭାରତୀୟ କମ୍ପାନୀ ନିବେଶ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀ କିମ୍ବା ଭାରାତୀୟ କମ୍ପାନୀ ଲଦାଖ ଅଞ୍ଚଳରେ ନିବେଶ କରିନାହାନ୍ତି ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।