୧୮୪ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ନିଯୁକ୍ତି

1 min read

ଭୁବନେଶ୍ବର: ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟରେ କୃଷି ନୀତି ଲାଗୁ କରାଯାଇଛି । ଆଜି ୧୮୪ ଜଣ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ଉନ୍ନତ ଚାଷ ପାଇଁ 5T ନୀତି କୃଷିକ୍ଷେତ୍ରରେ ଆଣିବ ସଫଳତା । ନବ ନିଯୁକ୍ତ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷକମାନଙ୍କୁ ନେଇ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଟେକ୍ନୋଲୋଜିର ବ୍ୟବହାର ପାଇଁ ଶୀଘ୍ର ସହାୟତା ପ୍ରଦାନ କରିବା, ସ୍ବଚ୍ଛତା ବଜାୟ ରଖିବା ଦ୍ବାରା ତୃଣମୂଳ ସ୍ତରରେ ପରିବର୍ତ୍ତନ ଆସିପାରିବ ବୋଲି କହିଛନ୍ତି ।

ତୃଣମୂଳ ସ୍ତରରେ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି । ସମୃଦ୍ଧି-୨୦୨୦ କୃଷକଙ୍କ ଆୟରେ କ୍ରମାଗତ ଅଭିବୃଦ୍ଧି ଆଣିଛି । କୃଷି ଅଭିବୃଦ୍ଧି ପାଇଁ ଭୂମି ଏବଂ ଜଳ ପରି ପ୍ରାକୃତିକ ସମ୍ପଦର ସଂରକ୍ଷଣ, ବିକାଶ ଏବଂ ପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଓଡ଼ିଶାରେ ଜଳସେଚନ ବିକାଶ, ବର୍ଷା ଜଳ ବିକାଶ, ବୃକ୍ଷରୋପଣ, ପୋଖରୀ ନିର୍ମାଣ ଏବଂ ଫାର୍ମ ପୋଖରୀ ପ୍ଲସ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେଣୁ ନବ ନିଯୁକ୍ତ କର୍ମଚାରୀମାନେ ରାଜ୍ୟର କୃଷି କ୍ଷେତ୍ରରେ ଉତ୍ସର୍ଗୀକୃତ ହୋଇ କର୍ତ୍ତବ୍ୟ ଏବଂ ଦାୟିତ୍ବ ତୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ 5T ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।