ଦୂର ହେଲା ମାତୃତ୍ବ ଛୁଟି ଦ୍ବନ୍ଦ : ସ୍ଥିରୀକୃତ ହେଲା ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ

ନନ୍ଦିଘୋଷ ବ୍ୟୁରୋ: ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ଵ ଛୁଟି ନେଇ ଦୂରହେଲା ଦ୍ୱନ୍ଦ୍ୱ । ସ୍ଥିରୀକୃତ ହେଲା ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ । ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ମିଳିବ । ମାତୃତ୍ଵ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନିଆଯାଇପାରିବ । ପ୍ରସବ ଯେକୌଣସି ସ୍ଵୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ । ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ ପରବର୍ତ୍ତୀ ସମୟରେ ସେବାରେ ଯୋଗଦେବା ପରେ, ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି ।
ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି । ଯଦି ମାତୃତ୍ଵ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ ସେହିଦିନ ସେ ସେହି ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ଵ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ ।