ଗୋଶାଳାରେ ବିସ୍ଫୋରଣ ପରେ ଜଳିଗଲେ ୧୮ ହଜାର ଗାଈଗୋରୁ

ୱାଶିଂଟନ: ଡାଏରୀ ଫାର୍ମରେ ବିସ୍ଫୋରଣ ଘଟି ୧୮ ହଜାର ଗାଈଗୋରୁ ମୃତ । ଆମେରିକାର ଟେକ୍ସାସରେ ଥିବା ସାଉଥଫର୍କ ଗୋଶାଳାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଗୋଶାଳା ମାଲିକଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇନାହିଁ ।

ଗତକାଲି ବିଳମ୍ବିତ ରାତିରେ ଫାର୍ମରେ ବ୍ଲାଷ୍ଟ ହୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଓ ଧୂଆଁରେ ୧୮ହଜାର ଗୋରୁଙ୍କର ମୃତ୍ୟୁ ହୋଇଛି । ଡାଏରୀ ଫାର୍ମ ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୨୦୧୮ରୁ ୨୦୨୧ ମଧ୍ୟରେ ଆମେରିକାରେ ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୩୦ଲକ୍ଷ ଫାର୍ମରେ ରହୁଥିବା ପ୍ରାଣୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।