୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ‘କୋଭିସିଲ୍ଡ’ ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା

1 min read
18 Plus People Of Five Municipal Corporation Area To Be Vaccinated As Priority Basis

ଭୁବନେଶ୍ୱର: ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ କୋଭିଡ୍ ଟିକା ‘କୋଭିସିଲ୍ଡ’ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମକୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ରାଜ୍ୟ ଦେଇଥିବା ପର୍ଚେଜ୍ ଅର୍ଡର ଅନୁସାରେ ଭ୍ୟାକ୍ସିନ୍ ପହଞ୍ଚିବା ପରେ ବ୍ୟାପକ ଟିକାକରଣ ଆରମ୍ଭ ହେବ । ‘କୋଭିସିଲ୍ଡ’ ଟିକାର ସ୍ୱଳ୍ପତା ଦୃଷ୍ଟିରୁ ପ୍ରଥମ ପର୍ଯ୍ୟାୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବା ୫ଟି ମହାନଗର ନିଗମରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ।

ଭୁବନେଶ୍ୱରରେ ମେ’୧ରୁ ‘କୋଭାକ୍ସିନ୍’ ଟିକା ଦିଆଯାଉଥିବା ବେଳେ ସୋମବାର ଠାରୁ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ଦିଆଯିବ ‘କୋଭିସିଲ୍ଡ’ ଟିକା । ସକାଳ ୮ଟାରୁ ଦିନ ଗୋଟାଏ ଯାଏ ୧୮ରୁ ୧୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ସେହିଭଳି ଦିନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଭ୍ୟାକ୍ସିନ୍ ନେବେ ।

ଏଥିସହ ପଢ଼ନ୍ତୁ- ପହଞ୍ଚିଲା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ, ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ଊର୍ଦ୍ଧ୍ୱ ବୟସ୍କ ନେବେ ଟିକା

ଏଥିସହ ଘରୋଇ କେନ୍ଦ୍ରରେ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଘରୋଇ ହସ୍ପିଟାଲ ଟିକା ଦେବେ । ଏଥିପାଇଁ ସରକାର ମାଗଣା ଭ୍ୟାକ୍ସିନ୍ ଯୋଗାଇ ଦେବେ । ଟିକାକରଣ ପିଛା ଘରୋଇ ହସ୍ପିଟାଲ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ୧୦୦ ଟଙ୍କା ସର୍ଭିସ୍ ଚାର୍ଜ ନେବେ ।  ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ରାଜ୍ୟରେ ପ୍ରାୟ ୧ କୋଟି ୯୩ ଲକ୍ଷ ଲୋକ ରହିଛନ୍ତି । ସେଥିରୁ ୧୦ ଲକ୍ଷ ୩୪ ହଜାର ଭୁବନେଶ୍ୱର ଅଞ୍ଚଳର, ସେମାନଙ୍କୁ କୋଭାକ୍ସିନ୍ ଦିଆଯିବ ।

ଆସନ୍ତାକାଲି ରବିବାର କେବଳ ଭୁବନେଶ୍ୱରରେ ଟିକା ଦିଆଯିବ । ସୋମବାର ବାଲେଶ୍ୱର ଓ ଦେବଗଡ଼ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା ଟିକାରୁ ୧ ଲକ୍ଷ ୬୯ ହଜାର ୬୩୦ ଡୋଜ୍ ‘କୋଭିସିଲ୍ଡ’ ଥିବାବେଳେ ୩ ଲକ୍ଷ ୪୯ ହଜାର ୯୮୦ ଡୋଜ୍ ‘କୋଭାକ୍ସିନ୍’ ରହିଛି । ସେହିଭଳି ରାଜ୍ୟ କିଣିଥିବା ଟିକାରୁ ୧ ଲକ୍ଷ ୭ ହଜାର ୩୫୦ ଡୋଜ୍ ‘କୋଭାକ୍ସିନ୍’ ଥିବାବେଳେ ୧ ଲକ୍ଷ ଡୋଜ୍ ‘କୋଭିସିଲ୍ଡ’ ରହିଛି ।

Leave a Reply