ଆଳୁ ଖୋଳୁଖୋଳୁ ମହାଦେବ, ଯାତ୍ରୀଙ୍କ ବ୍ୟାଗରେ ୧୮ଲକ୍ଷ ଟଙ୍କା

ବ୍ରହ୍ମପୁର: ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ଗଞ୍ଜେଇ ଚୋରାଚାଲାଣ ତନାଘନା ବେଳେ ବସ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୧୮ଲକ୍ଷ ଟଙ୍କା । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ସମସ୍ତ ଗାଡ଼ିକୁ ଯାଞ୍ଚ କରୁଥିଲା ଅବକାରୀ ବିଭାଗ । ଏହି ସମୟରେ ସରକାରୀ ବସରେ ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ୧୮ଲକ୍ଷ ଟଙ୍କା ଜବତ କରିଛି ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି ଅବକାରୀ ବିଭାଗ ।

ଅଟକ ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଅଞ୍ଚଳର ସଞ୍ଜୟ ସାହୁ । ତେବେ ସେ ଏତେ ଟଙ୍କା କେଉଁଠୁ ଆଣିଥିଲେ ଓ କୁଆଡ଼େ ନେଉଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ଏକ ବସ ଚେକିଂ ସମୟରେ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ ।

ପୂର୍ବରୁ ଥରେ 1କୋଟି 22 ଲକ୍ଷ ଟଙ୍କା ଏବଂ ଆଉଥରେ ସମାନ ସ୍ଥାନରୁ 33 ଲକ୍ଷରୁ ଅଦିକ ଟଙ୍କା ସହ 3ଶହରୁ ଅଧିକ ଗ୍ରାମର ସୁନା ମଧ୍ୟ ଜବତ ହୋଇଥିଲା । ଆଜି ଜବତ ହୋଇଥିବା ଟଙ୍କା କେଉଁ ସ୍ଥାନରୁ କେଉଁଠିକି ଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହା ପଛରେ ବେଆଇନ ସୁନା କାରବାର ଥିବା ସନ୍ଦେହ କରାଯାଉଛି ।