କରୋନା ପାଇଁ ଆମେରିକାର ସ୍ଥିତି ଗମ୍ଭୀର ଅନ୍ୟପଟେ ରାଜ୍ୟ ପାଇଁ କରୋନାକୁ ନେଇ ଆଶ୍ୱସ୍ତିର ଖବର

1 min read

ଭୁବନେଶ୍ୱର: ଦେଶରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏହି ପର୍ଯ୍ୟାୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଧାର୍ମିକ ଅନୁଷ୍ଠାନରେ ଏକଜୁଟ ନ ହେବା ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ସରକାର । ସେପଟେ ଦେଶରେ କରୋନା ମୁକାବିଲା ସହ ଅନ୍ୟ ରୋଗୀମାନଙ୍କର ମଧ୍ୟ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି । କରୋନା ଆଳରେ ସେମାନଙ୍କର ଯେମିତି କିଛି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି ସରକାର । ତେବେ ଏଜାବତ୍ ଦେଶରେ କରୋନାରେ ୧୩୩୮୭ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୭ଜଣ ପ୍ରାଣ ହରାଇଛନ୍ତି ।

କିନ୍ତୁ କରୋନାକୁ ନେଇ ରାଜ୍ୟ ପାଇଁ ଆଶ୍ୱସ୍ତି। ଗତକାଲି ସବୁ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଗତ ୨ଦିନ ଧରି ରାଜ୍ୟରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗତକାଲି ସମୁଦାୟ ୮୪୩ଟି ନମୁନା ଟେଷ୍ଟ ହୋଇଥିଲା।  ତେବେ ଟେଷ୍ଟ ହୋଇଥିବା ସବୁ ନମୁନା ରିପୋର୍ଟ ନେଗେଟିଭ ଆସିଛି। ରାଜ୍ୟରେ ମୋଟ ୭୫୭୭ନମୁନା ଟେଷ୍ଟ ହୋଇଥିବା ବେଳେ ୬୦ଟିର ରିପୋର୍ଟ ପଜିଟିଭ୍‌ ଆସିଛି। ଏହାମଧ୍ୟରୁ ୪୦ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୧୯ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ଦିଆଯାଇଛି।

ବିଶ୍ୱରେ କରୋନା ମହାସଂକଟରେ ବେହାଲ୍‌ ପଡ଼ିଛି ଆମେରିକା । ଗୋଟିଏ ଦିନରେ ୨୫ଶହ ଜୀବନ ନେଇଛି ଭୟଙ୍କର ଭୂତାଣୁ । ସାରା ବିଶ୍ୱରେ କରୋନାରେ ସର୍ବାଧିକ ମୃତ୍ୟୁର ରେକର୍ଡ ହୋଇଛି। ଏଥିସହ ଆମେରିକାରେ କୋଭିଡ୍‌-୧୯ ମୃତ୍ୟୁସଂଖ୍ୟା ୩୪ହଜାର ଟପିଛି। ଏବଂ ସଂକ୍ରମଣ ଧିରେ ଧିରେ ବ୍ୟାପୁଛି । ଆମେରିକାରେ ସାଢେ ୬ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି । ଆମେରିକାର ନ୍ୟୁୟର୍କ ସହର ପାଲଟିଛି କରୋନା ସଂକ୍ରମଣର ହଟସ୍ପଟ୍ । ଗତ ୨୪ ଘଣ୍ଟାରେ ୬ଶହରୁ ଅଧିକ ପ୍ରାଣ ହରାଇଛନ୍ତି। ନ୍ୟୁୟର୍କରେ ଏଯାଏଁ କରୋନା ମୃତ୍ୟୁସଂଖ୍ୟା ୧୨ହଜାର ଟପିଛି । ସେପଟେ ଇଟାଲୀ ଓ ସ୍ପେନ୍‌ରେ ସ୍ଥିତି ସଂଗୀନ୍‌ ରହିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୨୨ହଜାର ଟପିଥିବା ବେଳେ ସ୍ପେନ୍‌ରେ ୧୯ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି।

Leave a Reply