ଏଡିଆର୍‌ କହୁଛି କଂଗ୍ରେସ ସ୍ଥିତି ଭଲ ନାହିଁ, ଆହୁରି ବିଗିଡ଼ିବାର ସଙ୍କେତ ଦେଉଛନ୍ତି ବରିଷ୍ଠ ନେତା

1 min read
Congress

ନୂଆଦିଲ୍ଲୀ: କଂଗ୍ରେସ-କଂଗ୍ରେସ-କଂଗ୍ରେସ । ୧୫ ବର୍ଷ ପୂର୍ବରୁ ଅଧିକାଂଶ ରାଜ୍ୟରେ ଏହି ଶବ୍ଦ ଶୁଣାଯାଉଥିଲା । ହେଲେ ଏବେ ଆଉ ତାହା ନାହିଁ । ଦେଶର ସବୁଠାରୁ ପୁରାଣା ଦଳ ଏବେ କିଛି ରାଜ୍ୟରେ ଅସ୍ତିତ୍ୱ ହରାଇବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତିକି ପୁରା ଦେଶରେ ମଧ୍ୟ କଂଗ୍ରେସର ସ୍ଥିତି ନ କହିବା ଭଲ । ୨୦୧୪ରୁ କଂଗ୍ରେସର ଦୁର୍ଦିନ ଆରମ୍ଭ ହୋଇଥିବା ବେଳେ ଏବେ ଦିନକୁ ଦିନ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି । କେବଳ ୨୦୧୬ରୁ ୨୦୨୦ ଭିତରେ ନିର୍ବାଚନ ସମୟରେ କଂଗ୍ରେସର ୧୭୦ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ଏଡିଆର୍‌ ରିପୋର୍ଟରେ ଏଭଳି କିଛି ତଥ୍ୟ ପ୍ରକାଶ ପାଇଛି । କଂଗ୍ରେସର ୧୭୦ ଜଣ ବିଧାୟକ ନିର୍ବାଚନ ବେଳେ ଦଳ ଛାଡ଼ିଥିବା ବେଳେ ବିଜେପି ମାତ୍ର ୧୮ ଜଣ ଦଳ ଛାଡ଼ିଛନ୍ତି । ଯହାକି ବିଜେପି ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଏ । କିନ୍ତୁ କଂଗ୍ରେସ ପାଇଁ ଏହା କୌଣସି ମତେ ସାମାନ୍ୟ ଘଟଣା ନୁହେଁ ।

ତେବେ ଏହି ୨୦୧୬ରୁ ୨୦୨୦ ଭିତରେ ମୋଟ୍‌ ୪୦୫ ଜଣ ନେତା ଯେଉଁ ଦଳବଦଳ କରି ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ମଧ୍ୟରେ କଂଗ୍ରେସକୁ ମୋଟ ୩୮ ଜଣ ବିଧାୟକ ଆସିଛନ୍ତି । ହେଲେ ଏହି କ୍ରମରେ ବିଜେପିରେ ଯୋଗ ଦେଇଛନ୍ତି ୧୮୨ ଜଣ ବିଧାୟକ । ଯେଉଁମାନେ ପୁଣି ଥରେ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଏମିତିକି ୨୫ ଜଣ ବିଧାୟକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିରେ ମଧ୍ୟ ଯୋଗଦେଇଛନ୍ତି ।

ଅନ୍ୟପଟେ ୨୦୧୯ ଲୋକସଭା ନିର୍ବାଚନ ବେଳେ ୯ ଜଣ ସାଂସଦ ବିଜେପି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ୭ ଜଣ ରାଜ୍ୟ ସଭା ସାଂସଦ ୨୦୧୬-ରୁ ୨୦୨୦ ଭିତତରେ କଂଗ୍ରେସ ଛାଡ଼ି ଅନ୍ୟଦଳରେ ପ୍ରାର୍ଥୀ ହୋଇଛନ୍ତି  ।

ତେବେ କଂଗ୍ରେସରେ ଗତ କିଛି ଦିନଧରି ଏଭଳି ସ୍ଥିତି ରହିଥିବା ବେଳେ ଏବେ ଆହୁରି ବିପଦ ହେଉଛି, ଦଳ ଭିତରେ ରହିଥିବା କନ୍ଦଳ ଥମିବାର ନାଁ ଧରୁନି । ଦଳରେ ଭିତରେ ଗୋଟିଏ ନୂଆ ପ୍ରେସର ଗ୍ରୁପ୍‌ ବା ଜି-୨୩ ତିଆରି ହୋଇଛି । ଯିଏ କି ରାହୁଲ ଗାନ୍ଧିଙ୍କୁ ବିଲକୁଲ୍‌ ସମର୍ଥନ କରୁନାହାନ୍ତି ।

କିଛି ଦିନ ପୂର୍ବରୁ ଦେଖାଯାଇଥିଲା ଯେ, ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ସମେତ କଂଗ୍ରେସର କିଛି ଭେଟେରାନ ମୁଣ୍ଡରେ ଗେରୁଆ ପଗଡ଼ି ପିନ୍ଧିଛନ୍ତି । ଆଉ ମୋଦି ସରକାରଙ୍କ ଉନ୍ନିତିମୂଳକ କାର୍ଯ୍ୟର ପ୍ରଶଂସା ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ଦଳରେ ଆଉ ଏକ କନ୍ଦଳ ହେଉଛି ଏହି ଜି-୨୩ ନେତା କିଛି ଦିନ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖିଥିଲେ । ଯେଉଥିରେ ସେ ଦଳରେ କିଛି ଠିକ୍‌ ଚାଲିନାହିଁ, ଦଳରେ ପରିବର୍ତ୍ତନ ଆବଶ୍ୟକ ରହିଥିବା ଦର୍ଶାଇଥିଲେ । ଏହି ନେତାମାନେ ବିଭିନ୍ନ ରାଜ୍ୟକୁ ଯାଇ ବୈଠକ କରିବେ ବୋଲି ମଧ୍ୟ ସୂଚନା ରହିଛି । ପ୍ରଥମେ ହିମାଚଳ ପ୍ରଦେଶରେ ଏଭଳି ବୈଠକ ବସିସାରିଛି । ପରେ ଦିଲ୍ଲୀ ଗୁଜରାଟ ପଞ୍ଜାବରେ ମଧ୍ୟ ଆଗକୁ ଏଭଳି ବୈଠକ ବସିବାର ଯୋଜନା ରହିଛି ।

ନିକଟ ଅତୀତରେ କଂଗ୍ରେସକୁ ଏକ ବଡ଼ ଝଟକା ଦେଇଛନ୍ତି ଖୋଦ୍‌ ସେହି ଦଳର ଜଣେ ଭେଟେରାନ୍‌ ନେତା । ମୁଣ୍ଡ ଉପରେ କେରଳ ନିର୍ବାଚନ ଥିବା ବେଳେ ପିସି ଚାକୋ ଦଳ ଛାଡ଼ିଛନ୍ତି । ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ଦଳ ଭିତରେ ସେ ଅଣନିଶ୍ୱାସୀ ହୋଇପଡ଼ିଥିବା କହିଛନ୍ତି । ଦଳ ଗୋଷ୍ଠି କୈନ୍ଦ୍ରିକ ହୋଇ କାର୍ଯ୍ୟ କରୁଛି । ସେ ଦଳ ପାଇଁ ବହୁ ଦିନରୁ କାର୍ଯ୍ୟକରି ଆସୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଛି । ଏନେଇ ସେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲା ବେଳେ ବାହାରେ ସେ କହିଛନ୍ତି ଯେ, ଦଳରେ ଭିତରେ କ’ଣ ଘଟୁଛି ହାଇକମାଣ୍ଡ ସବୁ ଜାଣିଛନ୍ତି । ହେଲେ ସବୁ ଜାଣି ମଧ୍ୟ ଚୁପ୍‌ ରହୁଛନ୍ତି । ତେଣୁ ଦଳର ଏଭଳି ଅବସ୍ଥା  ହୋଇଛି ।

Leave a Reply