ଡ୍ୟାନ୍ସ ବାରର ସିକ୍ରେଟ୍ ଚାମ୍ବରରୁ ୧୭ ମହିଳା ଉଦ୍ଧାର

ମୁମ୍ୱାଇ : ମୁମ୍ୱାଇ ଅନ୍ଧେରିର ଏକ ଡ୍ୟାନ୍ସ ବାରରୁ ୧୭ ଜଣ ମହିଳା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏଠାରେ ଥିବା ମେକଅପ୍ ରୁମର ଏକ ସିକ୍ରେଟ୍ ଚାମ୍ବରରେ ମହିଳାଙ୍କୁ ରଖାଯାଇଥିଲା । ଦୀର୍ଘ ୧୫ ଘଣ୍ଟା ପରେ ପୋଲିସ ସମସ୍ତ ମହିଳାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମହିଳାଙ୍କୁ ଗୋପନ ରଖାଯାଇଥିବା ସ୍ଥାନରେ ଖାଦ୍ୟପେୟର ସମସ୍ତ ସୁବିଧା କରାଯାଇଥିଲା ।

ସମାଜ ସେବା ଶାଖା ଏନଜିଓ ଜରିଆରେ ମୁମ୍ବାଇ ପୋଲିସ ନିକଟରେ ଏହି ଖବର ମିଳିଥିବା ଜଣାପଡ଼ିଛି । ବାରରେ କୋଭିଡ ନିୟମର ଉଲଙ୍ଘନ ହେଉଥିବା ବେଳେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଥିବା ଏହି ଏନଜିଓ ସଂସ୍ଥା ପୋଲିସକୁ ସୂଚନା ଦେଇଥିଲେ । ସାରା ରାତି ଏହା ଖୋଲାରହୁଥିବା ବେଳେ ପୋଲିସକୁ ଏଯାଏ ଏହାର ସୁରାଖ ମିଳିନଥିଲା । ଖବର ପାଇ ଗତ ଶନିବାର ପୋଲିସ ବାରରେ ଚଢ଼ାଉ କରିଥିଲା । ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିବା ପରେ ମଧ୍ୟ ପୋଲିସ କୈାଣସି ଟେର୍ ପାଇନଥିଲା । ଏହାପରେ ପୋଲିସ ବାରର ବାଥରୁମ୍ ସମେତ ରୋଷେଇ ଘର ଓ ଷ୍ଟୋରେଜ ରୁମ୍ ଆଦି ଛାନଭିନ୍ କରିବା ପରେ ମଧ୍ୟ ପୋଲିସ ହାତରେ କିଛି ପ୍ରମାଣ ଲାଗିନଥିଲା ।

ରବିବାର ସମାଜ ସେବା ଶାଖା ଡିସିପି ଘଟଣାସ୍ଥଳରେ ପହଞ୍ଚି ପୁଣିଥରେ ଖୋଲତାଡ଼ ଆରମ୍ଭ କରିଥିଲେ । ବାରର ମେକଅପ୍ ରୁମରେ ଥିବା ଦର୍ପଣ ଉପରେ ପୋଲିସର ସନ୍ଦେହ ହୋଇଥିଲା । ହାତୁଡ଼ି ସାହାଯ୍ୟରେ ଦର୍ପଣ ଭାଙ୍ଗିବା ପରେ ଏହା ପଛରେ ରିମୋର୍ଟ ଚାଳିତ ଏକ କବାଟ ଥିବା ଦେଖିବାକୁ ମିଳିଥିଲା । କବାଟ ଖୋଲିବା ପରେ ଏଥିରୁ ୧୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାରେ ଜଡ଼ିତ ୨୦ ଜଣଙ୍କୁ ଗିରଫ କରାଯିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପୋଲିସ ସୂଚନା ଦେଇଛି ।

Leave a Reply