ଇସ୍କନ ସହ ଜଡିତ ୧୭ ଜଣଙ୍କ ବ୍ଯାଙ୍କ ଆକାଉଣ୍ଟ ୩୦ ଦିନ ଫ୍ରିଜ
ଢାକା: ବାଂଲାଦେଶରେ ଇସ୍କନ ବିରୋଧରେ ଚାଲିଛି କଡା କାର୍ଯ୍ଯାନୁଷ୍ଠାନ। ଇସ୍କନ ସହ ଜଡିତ ଥିବା ୧୭ ବ୍ଯକ୍ତି ବିଶେଷଙ୍କ ବ୍ଯାଙ୍କ ଆକାଉଣ୍ଟକୁ ୩୦ ଦିନ ଲାଗି ଫ୍ରିଜ କରିବା ଲାଗି ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିବା ଇସ୍କନ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସଙ୍କ ଆକାଉଣ୍ଟ ବି ଏଥିରେ ସାମିଲ ରହିଛି।
ଇସ୍କନ ଉପରେ ନିଷେଧାଦେଶ ଜାରି ଲାଗି ବାଂଲାଦେଶ ହାଇକୋର୍ଟ ଅଗ୍ରାହ୍ଯ କରିବା ପରେ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଛି। ବାଂଲାଦେଶ ଫିନାନ୍ସ ଇଣ୍ଟେଲିଜେନ୍ସ ୟୁନିଟ ବା ବିଏଫଆଇୟୁ ପକ୍ଷରୁ ଇସ୍କନ ସହ ସମ୍ପର୍କିତ ବିଭିନ୍ନ ବ୍ଯକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟ ଅଚଳ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏହି ବ୍ଯକ୍ତିବିଶେଷ କୌଣସି ପ୍ରକାର ଆର୍ଥିକ କାର୍ଯ୍ୟକଳାପ କରିପାରିବେ ନାହିଁ।
ଏହି ୧୭ ବ୍ଯକ୍ତି ବିଶେଷଙ୍କ ସବିଶେଷ ଆକାଉଣ୍ଟ କାରବାର ସମ୍ପର୍କରେ ତଥ୍ଯ ଦେବା ଲାଗି ବ୍ଯାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛି ବାଂଲାଦେଶ କେନ୍ଦ୍ରୀୟ ବ୍ଯାଙ୍କ। ଗତ ଅକ୍ଟୋବର ୩୦ରେ ଚାଟ୍ଟୋଗ୍ରାମର ନ୍ୟୁ ମାର୍କେଟ ଏରିଆରେ ହିନ୍ଦୁ ସମ୍ପ୍ରଦାୟର ଏକ ରାଲି ବେଳେ ବାଂଲାଦେଶ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ କ୍ରମେ ଚିନ୍ମୟଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା ପୋଲିସ। କୋତୱାଲ ପୋଲିସ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ମଞ୍ଚର ମୁଖପାତ୍ର ଥିବା ଚିନ୍ମୟ ଦାସଙ୍କୁ ଗତ ନଭେମ୍ବର ୨୫ ତାରିଖରେ ହଜରତ ଶାହଜଲାଲ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା।