ଝାରସୁଗୁଡ଼ାରେ ବିବାହ ବାର୍ଷିକୀ ଓ ଜନ୍ମଦିନରୁ ବ୍ୟାପିଲା କରୋନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ବ୍ରଜରାଜନଗର ଓପିଏମ କଲୋନୀରର ବାସିନ୍ଦା । ଏହି ୧୭ ଜଣ କିଛିଦିନ ପୂର୍ବେ ଓପିଏମ କଲୋନୀରେ ହୋଇଥିବା ଏକ ବିବାହ ବାର୍ଷିକୀ ଓ ଜନ୍ମଦିନ ଭୋଜିରେ ଖାଇବାକୁ ଯାଇଥିଲେ । ଭୋଜିରେ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୬ ତାରିଖି ଦିନ ଗୁରଗାଓଁରୁ  ଜଣେ ମହିଳା  ଓପିଏମ୍ ଅଞ୍ଚଳରେ ଥିବା ତାଙ୍କ ମାମୁଁ ଘରକୁ ଆସି ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କ ସହ ତାଙ୍କର ସ୍ୱାମୀ ଏବଂ ଏକ ପୁଅ ମଧ୍ୟ ଆସିଥିଲେ । କିଛିଦିନ ପରେ ତାଙ୍କ ପୁଅର ଜନ୍ମଦିନ ପାଳନରେ କଲୋନୀର ପଡୋଶୀମାନେ ଯୋଗଦେଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଏହି ଲୋକମାନେ କଲୋନୀରେ ଏକ ଦମ୍ପତ୍ତିର ବିବାହ ବାର୍ଷିକୀରେ ମଧ୍ୟ ଯୋଗଦେଇଥିଲେ । ଫଳରେ ଏହିଭଳି ଖାମଖିଆଲି ଯୋଗୁଁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଛି ।

ତେବେ କୋଭିଡ ନିୟମ ଉଲଙ୍ଘନ କରିଥିବା ଘରର ମୁଖ୍ୟ ବ୍ୟକ୍ତିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହ କରୋନା ରୋଗୀମାନେ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା ନାହିଁ । ଜିଲ୍ଲାବାସୀ ସରକାରଙ୍କ ନିୟମ ପାଳନ କରି ପ୍ରଶାସନକୁ କରୋନା ମୁକାବିଲାରେ ସହଯୋଗ କଲେ ଝାରସୁଗୁଡା କରୋନା ମୁକ୍ତ  ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ।

Leave a Reply