spot_img

Latest Posts

ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ସୋନୁ, ଫ୍ୟାନ୍ କହିଲେ ଆପଣ ମହାନ..

ଭୁବନେଶ୍ୱର: ଲକଡାଉନ୍ ଯୋଗୁ ଘରଠୁ ଦୂରରେ ଫସିରହିଥିବା ୧୬୯ ଜଣ ଓଡ଼ିଆ ଝିଅ ଶେଷରେ ନିଜ ରାଜ୍ୟକୁ ଫେରିଛନ୍ତି । ଅନେକ ଦିନ ପରେ ଓଡ଼ିଶା ମାଟି ଛୁଇଁଛନ୍ତି କେନ୍ଦ୍ରାପଡା ରାଜନଗର ଅଂଚଳରେ ଏହି ଝିଅମାନେ । କେରଳର ଏକ ଘରୋଇ କମ୍ପାନୀର କାମ କରୁଥିବା ଏହି ଝିଅ ମାନେ ଲକଡାଉନ୍ ଭିତରେ କେମିତି ଘରକୁ ଫେରିବେ ତାକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ଆଜି ସେମାନେ ନିଜ ଘରକୁ ଫେରିଛନ୍ତି କେବଳ ଜଣଙ୍କ ପାଇଁ । ସେ ହେଉଛନ୍ତି ସୋନୁ ସୁଦ । ବଲିଉଡର ଖଳନାୟକ କିନ୍ତୁ ହଜାର ହଜାର ପ୍ରବାସୀଙ୍କ ପାଇଁ ମହାନାୟକ ।

ସୋନୁ ଏହି ଝିଅ ମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଆଣିଛନ୍ତି ।  ଏମାନେ ସମସ୍ତେ କେରଳରେ ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ ଲକଡାଉନ୍ ଯୋଗୁଁ ସେଠାରେ ଫସି ରହିଥିଲେ। କମ୍ପାନୀ ଲକଡାଉନ୍ ପରେ ବନ୍ଦ ହୋଇଯାଇଥିଲା । ମାଲିକ ମଧ୍ୟ ସେମାନଙ୍କୁ କୌଣସି ପ୍ରକାରର ଆର୍ଥିକ ସାହାଯ୍ୟ ଦେଇନଥିଲେ । ଫଳରେ ଭୋକ ଉପାସରେ ଏହି ଝିଅମାନେ ଅନେକ ଦିନ ଧରି ପଡିଥିଲେ ।

ଫେରିବା ପାଇଁ ଅନେକ ଉଦ୍ୟମ କରିବା ପରେ ସେମାନେ ସଫଳ ହୋଇନଥିଲେ । ଏହାରି ଭିତରେ ସେମାନେ ଗୋଟିଏ ଭିଡିଓ କରି ସାହାଯ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ସରକାରଙ୍କ ଜଣେ ଅଧିକାରୀଙ୍କ ନଜରକୁ ଆସିଥିଲା । ଅଧିକାରୀ ଜଣକ ଏନେଇ ସୋନୁ ସୁଦଙ୍କୁ ଯୋଗାଯୋଗ କରିଥିଲେ । ସୋନୁ ନିଜ ଚିରାଚରିତ ଅନ୍ଦାଜରେ ସାହାଯ୍ୟର ଭରସା ଦେଇଥିଲେ । ସେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନିଜ ଟିମକୁ କାମରେ ଲଗାଇଥିଲେ । ଓଡ଼ିଆ ଝିଅଙ୍କୁ ଓଡ଼ିଶା ଫେରାଇ ଆଣିବାର ସେହି ଅପରେସନ୍ ଶୁକ୍ରବାର ଶେଷ ହୋଇଛି ।

ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୋନୁଙ୍କ ଏହି ଉଦ୍ୟମକୁ ଓଡ଼ିଶାରେ ବେସ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ସୋନୁଙ୍କୁ ଅନେକ ବାହବା ମିଳୁଛି । ନିକଟରେ ସୋନୁ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ, ଯେପର୍ଯ୍ୟନ୍ତ ସବୁ ପ୍ରବାସୀଙ୍କୁ ମୁଁ ସେମାନଙ୍କ ଘରକୁ ଫେରାଇ ନେଇନି ସେପର୍ଯ୍ୟନ୍ତ କାମ ସରିବ ନାହିଁ । ସୋନୁ ପ୍ରବାସୀଙ୍କ ସହ ସଂପର୍କ ସ୍ଥାପନା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ।

 

Latest Posts

Don't Miss