ଗାଜା ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ୧୬୫ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ

ଗାଜା: ଥମିବାର ନାଁ ନେଉନି ଇସ୍ରାଏଲ ହାମସ ଯୁଦ୍ଧ । ଦିନ ଗଡ଼ିବା ସହ ବଢୁଛି ଯୁଦ୍ଧର ଘମାଘଟା । ନା ହମାସ ମାନୁଛି, ନା ଇସ୍ରାଏଲ ଛାଡୁଛି । କତୃତ୍ବ ଜାହିରର ଏହି ରକ୍ତରଞ୍ଜିତ ଖେଳରେ ପେଶି ହୋଇ ଜୀବନ ହରାଉଛନ୍ତି ସାଧାରଣ ଜନତା । ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି । ୨୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ୧୪ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଟକ ରଖିଛି ।

ଆଇଡିଏଫ ହଠାତ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଆକ୍ରମଣ କରିବା ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିଛି  । ଅକ୍ଟୋବର ୭ ପରେ ଇସ୍ରାଏଲ ଗାଜାରେ କରିଥିବା ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୨୧ ହଜାର ୬୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ହମାସ କରିଥିବା ଆକ୍ରମଣରେ ଇସ୍ରାଏଲର ୧ ହଜାର ୧୩୯ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏପଟେ ଇସ୍ରାଏଲର ଏଭଳି ବର୍ବର ଆକ୍ରମଣ ପାଇଁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଆବେଦନ କରାଯାଇଛି  । ଇସ୍ରାଏଲକୁ ଏହି ଯୁଦ୍ଧ ପାଇଁ ଦାୟୀ କରିବା ସହ ଦଣ୍ଡାଦେଶ ପାଇଁ ଆବେଦନ କରାଯାଇଛି  । ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ନରସଂହାର ବୋଲି କହିଛି ଦକ୍ଷିଣ ଆଫ୍ରିକା ।