କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଏ ପର୍ଯ୍ୟନ୍ତ ୨୩ ଜଣ ହାରିଲେଣି ଜୀବନ

ଜୟପୁର: ରାଜସ୍ଥାନ କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଝାଡ଼ଖଣ୍ଡ ରାଞ୍ଚିର ଜଣେ ଛାତ୍ରୀ ବାଛିନେଇଛନ୍ତି ଚରମ ପଥ । ଏହା ସହ ଗତବର୍ଷ ଓ ଚଳିତ ବର୍ଷ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୨୩ରେ । ୧୬ ବର୍ଷ ବୟସ୍କା ଏହି ଛାତ୍ରୀ ନିଟ୍ ଲାଗି ପ୍ରସ୍ତୁତି ଚଳାଇଥିଲେ । ବିଜ୍ଞାନ ନଗର ଅନ୍ତର୍ଗତ ଛାତ୍ରୀନିବାସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ରିଚା ସିହ୍ନା ନାମ୍ନୀ ଏହି ଛାତ୍ରୀଙ୍କ ମରଶରୀର ଛାତରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଗତକାଲି ରାତି ସାଢେ ୧୦ଟାରେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ନିଟ ଲାଗି ପ୍ରସ୍ତୁତ ହେବା ନିମନ୍ତେ କୋଟାକୁ ଯାଇଥିଲେ ।

ଗତବର୍ଷ କୋଟାରେ ୧୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ୮ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ।