ବିହାରରେ ମିଶିଲା ବିରୋଧୀଙ୍କ ମନ ; ବିଜେପି ବିରୋଧରେ ୧୬ ଦଳ ଏକାଠି

1 min read

ପାଟନା :  ପାଟନାରେ ବିରୋଧୀ ଦଳର ମହାବୈଠକ ଶେଷ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୨୪ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ହୋଇଛି ରଣନୀତି । ପ୍ରଥମ ବୈଠକରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ କିଛି ପ୍ରସଙ୍ଗରେ ସହମତି ହୋଇଛି । ଆଗାମୀ ବୈଠକରେ ନିର୍ବାଚନ ଲଢ଼ିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯିବ ବୋଲି ନୀତୀଶ କହିଛନ୍ତି । ଜୁଲାଇ ୧୨ ତାରିଖରେ ସିମଲାରେ ବିରୋଧୀଙ୍କ ଆଉ ଏକ ବୈଠକର ଅନୁଷ୍ଠିତ ହେବ ।

AICC ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକର ନେତୃତ୍ବ ନେବେ । ଏ ନେଇ ସୂଚନା ଦେଇଛନ୍ତି ନୀତୀଶ କୁମାର । ଆଜି ବୈଠକରେ ୧୬ ଦଳ ଦେଶ ହିତରେ ସମସ୍ତେ ଏକାଠି ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଦେଶରେ ତାନାସାହି ଶାସନ ବିରୋଧରେ ଏକାଠି ଲଢ଼େଇ ପାଇଁ ସବୁ ଦଳ ସହମତି ବ୍ୟକ୍ତ କରିଛନ୍ତି ବୋଲି ଖଡଗେ କହିଛନ୍ତି । ଦେଶରେ ଦୁଇଟି ବିଚାରଧାରାର ଲଢ଼େଇ ଚାଲିଛି ।

କଂଗ୍ରେସର ଭାରତ ଯୋଡ଼ ବିଚାରଧାରା ଓ ବିଜେପିର ଭାରତ ତୋଡ଼ ବିଚାରଧାରା ମଧ୍ୟରେ ଲଢ଼େଇ ଜାରି ରହିଛି । ବିଜେପି ଦେଶରେ ହିଂସା, ଘୃଣା ଭାବ ବିସ୍ତାର କରୁଛି ବୋଲି ରାହୁଲ କହିଛନ୍ତି । ଦେଶରେ ଲୋକତାନ୍ତ୍ରିକ ସଂସ୍ଥାର ଦୁରୁପଯୋଗ କରାଯାଉଛି । ବିରୋଧୀଙ୍କୁ ଇଡି, ସିବିଆଇର ଧମକ ଦେଇ ଚୁପ କରିବାକୁ ଚେଷ୍ଟା କରାଯାଉଛି । ବିହାର ପାଟନାରୁ ଆରମ୍ଭ ହୋଇଥିବା ଏହି ବୈଠକ ଦେଶବ୍ୟାପୀ ଜନଆନ୍ଦୋଳନର ରୁପ ନେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ଭିତରେ ମତଭେଦ ଭୁଲି ସମସ୍ତେ ଏକାଠି ଲଢ଼ିବେ କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର ।

ସେହିପରି ଜାମ୍ମୁ-କାଶ୍ମୀରରେ ଦିନ ଦ୍ବିପ୍ରହରରେ ଲୋକତନ୍ତ୍ରର ହତ୍ୟା କରାଯାଉଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି । ଦେଶର ସମ୍ବିଧାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ । ଜାମ୍ମୁ-କାଶ୍ମୀର ଭୋଟରଙ୍କୁ ନିଜ ନେତା ବାଛିବାର ଅଧିକାର ବିଜେପି ଛଡ଼ାଇ ନେଇଛି ବୋଲି ଉମର କହିଛନ୍ତି । ଧର୍ମନିରପେକ୍ଷ ଦେଶକୁ ବିଜେପି ବଦଳାଇବାକୁ ଚେଷ୍ଟା କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ଏହାର କଡ଼ା ଜବାବ ଦେବାକୁ ପଡ଼ିବ । ବିରୋଧୀ ଏକ ହୋଇ ଲଢ଼େଇ କରିବାକୁ ପ୍ରସ୍ତୁତ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି ।