୧୫ ମାସର ବିଜେପି ସରକାର । ୧୫ ମାସରେ ୧୬ ସରକାରୀ ପରୀକ୍ଷାରେ ବିଭ୍ରାଟ । ମାଟ୍ରିକ ପରୀକ୍ଷାରୁ ଆରଆଇ ପରୀକ୍ଷା, ସବୁଥିରେ ହେରଫେର। ଏ ସବୁକୁ ବଳିଗଲା ଏସଆଇ ପରୀକ୍ଷା । ଟଙ୍କା ଦିଅ ଚାକିରି ନିଅ। ଏପରି ଏକ କଳଙ୍କିତ ଅଧ୍ୟାୟ ଦେଇ ଗତି କରୁଛି ଓଡ଼ିଶା। ଏହା ବିରୋଧରେ ଆଜି ରାଜଧାନୀରେ ରଣହୁଙ୍କାର ଦେଇଛି ଯୁବ ଓ ଛାତ୍ର ବିଜେଡି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସକୁ ଦାୟୀ କରାଯାଉଥିବା ବେଳେ, କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରିବ ବୋଲି ପ୍ରଶ୍ନ କରିଛି ବିଜେଡି। କାରଣ ଏହି କେଳେଙ୍କାରୀରେ ସାମିଲ ଥିବା ବଡ଼ବଡ଼ିଆଙ୍କୁ ଖସାଇବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛି ଦଳ। ଘଟଣାରେ ସିବିଆଇ ତଦନ୍ତ କରିବାକୁ ଦାବି ଦୋହରାଇଛି ବିଜୁ ଜନତା ଦଳ। ହଜାର ହଜାର ସଂଖ୍ୟାରେ ବିଜେଡି ନେତାଙ୍କ ସହ ପରୀକ୍ଷା ଆଶାୟୀ ଆନ୍ଦୋଳନରେ ହୋଇଥିଲେ ସାମିଲ। ଲୋୟର ପିଏମଜିରେ ସରକାରଙ୍କ କୁଶପୁତ୍ତଳିକା ଦାହ ସାଙ୍ଗକୁ ବ୍ୟାରିକେଡ ଭାଙ୍ଗିବା ବେଳେ ବିଜେଡି କର୍ମୀ ଓ ପୋଲିସ ହୋଇଥିଲେ ମୁହାଁମୁହିଁ।
ସରକାରୀ ଚାକିରି ପାଇଁ ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଘଟୁଥିବାରୁ ରାଜ୍ୟର ଯୁବ ସମାଜ ବ୍ୟତିବ୍ୟସ୍ତ ହେବା ସାଙ୍ଗକୁ ହତାଶ ହୋଇ ପଡ଼ିଲେଣି । ରାଜ୍ୟର ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଥିବା ଅଭିଯୋଗ କରିଛି ବିଜେଡି। ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା। ପରୀକ୍ଷା ବାତିଲର କାରଣ ଜଣାପଡ଼ିନଥିବା ବେଳେ, ଓପିଆରବି ଅଧ୍ୟକ୍ଷଙ୍କୁ ବିଦା କରି ନୂତନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ଆପତ୍ତି ଉଠାଇଥିଲା ଦଳ। ଏପରିକି ଆଇଟିଆଇର ସହଯୋଗୀ ସଂସ୍ଥା ଭାବେ ପୂର୍ବରୁ ଥିବା ରିଚ ମାଇଣ୍ଡକୁ ହଟାଯାଇ ସିଲିକନ୍ ଟେକ୍ ଲ୍ୟାବକୁ ଦାୟିତ୍ବ ଦିଆଗଲା। ଆଉ ସିଲିକନ ଟେକ୍ ପଞ୍ଚସଫ୍ଟକୁ ସହଯୋଗୀ ଭାବେ ଗ୍ରହଣ କଲା। ଆଉଟ ସୋର୍ସିଂ ମାଧ୍ୟମରେ ପୋଲିସ ଏସ୍ଆଇ ଚାକିରି ବିକ୍ରି ପାଇଁ ଏକ ସୁଚିନ୍ତିତ ଯୋଜନା ଚାଲିଥିବାରୁ ଆନ୍ଦୋଳନକୁ ଶାଣିତ କରିଛି ବିଜୁ ଜନତା ଦଳ । ଗୋଟିଏ ପଟେ ରାଜ୍ୟ ସରକାର ପରୀକ୍ଷାଟିଏ ସୁରୁଖୁରୁରେ କରାଇ ପାରୁନାହାନ୍ତି । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କୁ ଜେଲ ଭିତରେ ରଖିବାରେ ସକ୍ଷମ ହେଉ ନାହାନ୍ତି । ପ୍ରଶ୍ନ ଉଠୁଛି, ଲାଞ୍ଚ ଦେଇ ଗରଫ ହୋଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ କଣ ହେବ।

