ସବୁଠାରୁ ବଡ଼ ଡାଟା ଲିକ୍ : ଆପଲ୍ , ଗୁଗୁଲ ସମେତ ବଡ଼ କମ୍ପାନୀର ୧୬ ବିଲିୟନ ଲଗଇନ ତଥ୍ୟ ଲିକ୍

ନନ୍ଦିଘୋଷ ବ୍ୟୁରୋ : ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ । ୧୬ ବିଲିୟନ ଲଗଇନ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି । ଯେଉଁଥିରେ ପାସୱାର୍ଡ ଏବଂ ଅନ୍ୟ ଡାଟା ଲିକ୍ ହୋଇଥିବା ନିଶ୍ଚିତ କରିଛନ୍ତି ସାଇବର ସୁରକ୍ଷା ଗବେଷକ। ଏକ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ଲିକ୍ ଆପଲ୍, ଫେସବୁକ୍, ଗୁଗଲ୍, ଗିଟହବ୍, ଟେଲିଗ୍ରାମ୍ ଏବଂ ବିଭିନ୍ନ ସୋସିଆଲ ମିଡିଆ ସେବା ଭଳି ପ୍ରାୟ ସମସ୍ତ ଅନଲାଇନ୍ ସେବାକୁ ବିପଦରେ ପକାଇପାରେ।
ଏହା ପୂର୍ବରୁ ଏକ ରହସ୍ୟମୟ ଡାଟାବେସ୍ରେ ୧୮୪ ନିୟୁତ ରେକର୍ଡ ଅସୁରକ୍ଷିତ ଭାବେ ଏକ ୱେବ୍ ସର୍ଭରରେ ରହିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ନିକଟରେ ଗବେଷଣାରୁ ଜଣାପଡ଼ିଛି ଯେ ଏହା କେବଳ ଏକ ଆରମ୍ଭ ଥିଲା। ଗବେଷକମାନେ ୩୦ଟି ଡାଟାସେଟ୍ ଆବିଷ୍କାର କରିଛନ୍ତି, ଯେଉଁଥିରେ ପ୍ରତ୍ୟେକରେ ୩.୫ ବିଲିୟନ ରେକର୍ଡ ରହିଛି। ଏହି ତଥ୍ୟରେ ସୋସିଆଲ ମିଡିଆ, ଭିପିଏନ୍ ଲଗଇନ୍ ଏବଂ କର୍ପୋରେଟ୍ ଓ ଡେଭେଲପର ପ୍ଲାଟଫର୍ମ ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ। ଏହି ଡାଟାସେଟ୍ଗୁଡ଼ିକ ୨୦୨୫ ଆରମ୍ଭରୁ ମିଳିଛି।
ଗବେଷକମାନେ କହିଛନ୍ତି, ଏହା କେବଳ ଏକ ଲିକ୍ ନୁହେଁ, ଏହା ଏକ ବଡ଼ ଧରଣର ଶୋଷଣର ନୀଳନକ୍ସା । ଏଗୁଡ଼ିକ ପୁରୁଣା ଲିକ୍ ନୁହେଁ, ବରଂ ନୂଆ ସାଇବର ଲିକ୍ ।” ଏହି ତଥ୍ୟ ଲିକ୍ ଫିସିଂ ଅଭିଯାନ, ଆକାଉଣ୍ଟ ହସ୍ତାନ୍ତର ଏବଂ ବ୍ୟବସାୟୀକ ଇମେଲ୍ ଆର୍ଟାକ (ବିଇସି) ପାଇଁ ବ୍ୟବହୃତ ହୋଇପାରେ।
ଗୁଗଲ୍ର ପାସୱାର୍ଡ ପରିବର୍ତ୍ତନ ପାଇଁ ପରାମର୍ଶ
ଏହି ଡାଟା ଲିକ୍ କାରଣରୁ ଗୁଗଲ୍ ତା’ର ଜିମେଲ ବ୍ୟବହାରକାରୀମାନଙ୍କୁ ପାସୱାର୍ଡ ଓ ଦ୍ୱିସ୍ତରୀୟ ପ୍ରାମାଣିକରଣ (୨ଏଫଏ) ପରି ପୁରୁଣା ଲଗଇନ୍ ପଦ୍ଧତି ବଦଳାଇବାକୁ ଓ ସୋସିଆଲ ଲଗଇନ୍କୁ ଅପଣାଇବାକୁ ପରାମର୍ଶ ଦେଇଛି । ଗୁଗଲ୍ କହିଛି, “ଆପଣଙ୍କ ଆକାଉଣ୍ଟକୁ ସ୍ୱୟଂଚାଳିତ ଭାବେ ସୁରକ୍ଷିତ କରୁଥିବା ଉପକରଣ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ସ୍କାମ୍ରୁ ରକ୍ଷା କରିବ।”
ପାସକି ହେଉଛି ଏକ ଲଗଇନ୍ ପଦ୍ଧତି ଯାହା ପାସୱାର୍ଡକୁ ବାୟୋମେଟ୍ରିକ୍ ପ୍ରାମାଣିକରଣ ଦ୍ୱାରା ବଦଳାଇଥାଏ, ଯେପରିକି ସ୍ମାର୍ଟଫୋନ୍ରେ ଫିଙ୍ଗରପ୍ରିଣ୍ଟ, ମୁହଁ ସ୍କାନ୍ କିମ୍ବା ପାଟର୍ନ ଲକ୍ । ଏସବୁକୁ ପରିବର୍ତ୍ତନ କରିପାକୁ ପରାମର୍ଶ ଦେଇଛି ଗୁଗୁଲ। ଗୁଗଲ୍ ଏହାକୁ “ଫିସିଂ ପ୍ରତିରୋଧୀ” ବୋଲି ବିବେଚନା କରୁଛି।